ନିର୍ବାଚନ ରାଲି ଉପରେ କଟକଣା ଫେବୃଆରୀ ୧୧ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ପାଞ୍ଚ ରାଜ୍ୟରେ ରାଲି, ରୋଡ୍ ସୋ’ ଓ ପଦଯାତ୍ରା ଉପରେ କଟକଣା ଫେବୃଆରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ସଂକମଣ କମୁଥିବାରୁ ଆୟୋଗ କିଛି କଟକଣା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୧୦୦୦ ଲୋକଙ୍କ ସହ ସଭା ପାଇଁ ଅନୁମତି ମିଳିଛି । ସେହିପରି ୫୦୦ ଲୋକଙ୍କୁ ନେଇ ଇନଡୋର ବୈଠକକୁ ମଧ୍ୟ ଅନୁମତି ଦିଆଯାଇଛି | ଏହା ବ୍ୟତୀତ ୨୦ ଜଣ ଲୋକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିହେବ |

ଜାନୁଆରୀ ୮ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁର ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା ସମୟରେ ନିର୍ବାଚନ ଆୟୋଗ ରାଲି, ରୋଡ୍ ସୋ ଉପରେ କଟକଣା ଲଗାଇଥିଲେ। ଜାନୁଆରୀ ୨୨ରେ ଅନୁଷ୍ଠିତ ଗତ ବୈଠକରେ ଆୟୋଗ ପାଞ୍ଚଟି ରାଜ୍ୟରେ ରାଲି ଏବଂ ରୋଡ୍ ସୋ ଉପରେ କଟକଣା ଜାନୁୟାରୀ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପ୍ରକାଶ ଥାଉକି, ଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବାକୁ ଯାଉଛି, ସେଠାରେ ସର୍ବାଧିକ ୫୦୦ ଲୋକଙ୍କ ଉପସ୍ଥିତିରେ ଜନସଭା ପାଇଁ ଅନୁମତି ଦିଆଯିବା ସହିତ ଘରକୁ ଘର ପ୍ରଚାରର ନିୟମ ମଧ୍ୟ କୋହଳ କରାଯିବ |

ନିର୍ବାଚନ ଆୟୋଗ ଭର୍ଚୁଆଲ୍ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ରାଜନୈତିକ ଦଳମାନଙ୍କୁ କହିଥିଲେ। ଏଭଳି ସ୍ଥଳେ ଆୟୋଗ କରୋନାରେ ସ୍ଥିତିକୁ ନେଇ ନିୟମିତ ସମୀକ୍ଷା କରୁଛନ୍ତି। କରୋନା ସଂକ୍ରମଣ ଯେପରି ନ ବଢ଼େ ଏବଂ ସୀମିତ କଟକଣା ସହ ରାଜନୈତିକ ଦଳମାନଙ୍କୁ ମଧ୍ୟ ପ୍ରଚାର କରିବାର ଯେପରି ସୁଯୋଗ ଦିଆଯିବ ତାହା ନିର୍ବାଚନ ଆୟୋଗ ନିଶ୍ଚିତ କରୁଛନ୍ତି ।

Comments are closed.