ଟି -୨୦ ବିଶ୍ୱକପ: ଜିମ୍ବାୱେକୁ ୩ ରନରେ ହରାଇଲା ବାଂଲାଦେଶ

ବ୍ରିସବେନ: ଟି -୨୦ ବିଶ୍ୱକପର ଏଠାରେ ରବିବାର ଅନୁଷ୍ଠିତ ଏକ ରୋମାଞ୍ଚକ ଗ୍ରୁପ୍-୨ ମ୍ୟାଚରେ ବାଂଲାଦେଶ ୩ ରନରେ ଜିମ୍ବାୱେକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୭ ଓ୍ବିକେଟ୍ ହରାଇ ୧୫୦ ରନ୍ କରିଥିଲା। ଏହାର ଜବାବରେ ଜିମ୍ବାୱେ ୮ ୱିକେଟରେ ୧୪୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଜିମ୍ବାୱେ ପକ୍ଷରୁ ସିନ୍ ୱିଲିୟମ୍ସ ସର୍ବାଧିକ ୬୪ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ତସ୍କିନ୍ ଅହମ୍ମଦ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିବା ବେଳେ ମୋସାଦେକ ହୁସେନ ଓ ମୁସ୍ତାଫିଜୁର ରହମାନ ୨ଟି ଲେଖାଏଁ ହାସଲ କରିଥିଲେ ।

ପୂର୍ବରୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ନଜମୁଲ ହସନ ଶାଣ୍ଟୋ ସର୍ବାଧିକ ୭୧ ରନ୍ କରିଥିଲେ । ଆଫିଫ୍ ହୁସେନ୍ ୨୯ ଓ ଶାକିବ ୨୩ ରନ୍ କରିଥିଲେ । ଜିମ୍ବାୱେ ତରଫରୁ ମୁଜାରାବାନି ଏବଂ ଏଙ୍ଗାରାଭା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶର ଏହା ଦ୍ବିତୀୟ ବିଜୟ । ଦଳ ଏବେ ୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଉଠିଛି । ବାଂଲାଦେଶ ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା । ଅନ୍ୟପକ୍ଷରେ ଜିମ୍ବାୱେର ଏହା ପ୍ରଥମ ପରାଜୟ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦ୍ବିତୀୟ ମ୍ୟାଚରେ ଜିମ୍ବାୱେ ୧ ରନରେ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । ଜିମ୍ବାୱେ ଏବେ ୩ ପଏଣ୍ଟ ସହ ଗ୍ରୁପ୍-୨ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

Comments are closed.