ପାଞ୍ଚ ବର୍ଷରେ ୪୩୦୦ କୋଟି ଆୟକର ଜମା କରିଛି ବିସିସିଆଇ, ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଗତ ୫ ବର୍ଷ ମଧ୍ୟରେ ଆୟକର ବାବଦରେ ପ୍ରାୟ ୪୩୦୦ କୋଟି ଟଙ୍କା ପୈଠ କରିଛି। ବିସିସିଆଇକୁ ଟିକସ ଛାଡ଼ ଦିଆଯାଉଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି | ତେବେ ବିସିସିଆଇ ନିୟମିତ ଆୟକର ଜମା କରିଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ସୂଚନା ଦେଇଛନ୍ତି।

ଚୌଧୁରୀ କହିଛନ୍ତି, ବିସିସିଆଇ ଗତ ୫ ବର୍ଷ ମଧ୍ୟରେ ମୋଟ ୪୨୯୮,୧୨ କୋଟି ଟଙ୍କା ପୈଠ କରିଛି । ଭାରତୀୟ ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷରେ ୧,୧୫୯ କୋଟି ଟଙ୍କା ଆୟକର ଦେଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୭ ପ୍ରତିଶତ ଅଧିକ ଥିଲା |

କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ବିସିସିଆଇ ଦ୍ବାରା ପ୍ରଦାନ କରାଯାଇଥିବା ଆୟକର ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଆୟ ଏବଂ ବ୍ୟୟ ଅଟକଳର ବିବରଣୀ ଉପସ୍ଥାପନ କରିଛନ୍ତି। ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷରେ ୨୦୨୦-୨୧ରେ ବିସିସିଆଇ ଆୟକର ବାବଦରେ ୮୪୪.୯୨ କୋଟି ଟଙ୍କା ଦେଇଥିଲା ଯାହା ୨୦୧୯-୨୦ରେ ପ୍ରଦାନ କରାଯାଇଥିବା ୮୮୨.୨୯ କୋଟିରୁ କମ୍ ।

ବିସିସିଆଇ ୨୦୧୮-୧୯ ଆର୍ଥିକ ବର୍ଷରେ ୮୧୫.୦୮ କୋଟି ଟଙ୍କା ଆୟକର ଦେଇଥିବାବେଳେ ୨୦୧୭-୧୮ରେ ୫୯୬.୬୩ କୋଟି ଟଙ୍କା ପୈଠ କରିଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ବୋର୍ଡର ଆୟ ଥିଲା ୭,୬୦୬ କୋଟି ଟଙ୍କା । ସେହିବର୍ଷ ବୋର୍ଡର ଖର୍ଚ୍ଚ ଥିଲା ୩,୦୬୪ କୋଟି ଟଙ୍କା । ୨୦୨୦-୨୧ ଆର୍ଥିକ ବର୍ଷରେ ଏହାର ଆୟ ୪,୭୩୫ କୋଟି ଏବଂ ବ୍ୟୟ ୩,୦୮୦ କୋଟି ଟଙ୍କା ଥିଲା।

Comments are closed.