ମୁମ୍ବାଇ ଓ ଦିଲ୍ଲୀରେ ବିଶ୍ବକପ୍ ମ୍ୟାଚ୍ ବେଳେ ହେବନି ଆତସବାଜି, ଏହି କାରଣରୁ ବିସିସିଆଇ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଶ୍ୱକପରେ ଗୁରୁବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। କିନ୍ତୁ ଦର୍ଶକମାନେ ଷ୍ଟାଡିୟମରେ ଆଉ ଆତସବାଜିର ମଜା ଉଠାଇ ପାରିବେ ନାହିଁ। କେବଳ ମୁମ୍ବାଇରେ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ମଧ୍ୟ ଆତସବାଜି ହେବ ନାହିଁ । ଉଭୟ ସହରର ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ନଭେମ୍ବର ୬ରେ ଖେଳାଯିବାକୁ ଥିବା ମ୍ୟାଚରେ ମଧ୍ୟ ଆତସବାଜି ହେବ ନାହିଁ |

ବମ୍ବେ ହାଇକୋର୍ଟ ମଧ୍ୟ ମୁମ୍ବାଇର ପ୍ରଦୂଷିତ ବାୟୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ମୁଁ ଆଇସିସି ସହିତ ଆନୁଷ୍ଠାନିକ ଭାବେ ଏହି ପ୍ରସଙ୍ଗ ଉଠାଇଛି। ମୁମ୍ବାଇ ଓ ଦିଲ୍ଲୀରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଆତସବାଜି ହେବ ନାହିଁ । କାରଣ ଏହାଦ୍ବାରା ପ୍ରଦୂଷଣ ସ୍ତରକୁ ବଢ଼ିପାରେ। ପରିବେଶ ସମସ୍ୟାର ମୁକାବିଲା ପାଇଁ ବିସିସିଆଇ ପ୍ରତିବଦ୍ଧ ଏବଂ ଆମେ ସର୍ବଦା ପ୍ରଶଂସକ ଏବଂ ଅନ୍ୟମାନଙ୍କ ସ୍ୱାର୍ଥକୁ ଆଗରେ ରଖିବୁ।

ସେ ଆହୁରି କହିଛନ୍ତି, “ଉଭୟ ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ବାୟୁମାନ ନେଇ ଉପୁଜିଥିବା ପରିସ୍ଥିତିରେ ବିସିସିଆଇ ଚିନ୍ତିତ। କ୍ରିକେଟ୍ ଉତ୍ସବ ଭାବେ ଆମେ ବିଶ୍ୱକପ୍ ଆୟୋଜନ କରିବାକୁ ଚେଷ୍ଟା କରୁଥିବାବେଳେ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମଧ୍ୟ ଆମର ଦାୟିତ୍ଵ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ମଙ୍ଗଳବାର ମୁମ୍ବାଇରେ ସମୁଦାୟ ବାୟୁମାନ ସୂଚକାଙ୍କ ୧୭୨ ଥିବାବେଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହା ବିପଜ୍ଜନକ ୨୬୦ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ୨୦୨୦ ଅକ୍ଟୋବର ପରଠୁ ବାୟୁମାନ ସବୁଠାରୁ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି ।

Comments are closed.