ରିଦ୍ଧିମାନ ସାହାଙ୍କୁ ଧମକ ମାମଲାରେ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ବାସନ୍ଦ କଲା ବିସିସିଆଇ

ମୁମ୍ବାଇ: ଟିମ୍ ଇଣ୍ଡିଆ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କୁ ଧମକ ଦେବା ମାମଲାରେ ବିସିସିଆଇ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି।ବୋରିଆ ଆଉ ଭାରତରେ ପ୍ରେସ୍ ସଦସ୍ୟ ଭାବରେ ମାନ୍ୟତା ପାଇବେ ନାହିଁ | ଏହାସହ ଭାରତରେ ପଞ୍ଜିକୃତ କୌଣସି ଖେଳାଳିଙ୍କ ସାକ୍ଷାତକାର ନେଇ ପାରିବେ ନାହିଁ |

ରିଦ୍ଧିମାନଙ୍କୁ ଧମକ ମାମଲାର ଯାଞ୍ଚ୍ ପାଇଁ ବିସିସିଆଇ ଏକ ତିନିଜଣିଆ କମିଟି ଗଠନ କରିଥିଲା। ଏହି କମିଟିରେ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂ ଧୁମଲ ଏବଂ ଆପେକ୍ସ କାଉନସିଲ ସଦସ୍ୟ ପ୍ରଭତେଜ ସିଂ ଭାଟିଆ ସାମିଲ ହୋଇଥିଲେ। ଜେରା ବେଳେ ବିସିସିଆଇ କମିଟି ଆଗରେ ବୋରିଆଙ୍କ ନାମ ନେଇଥିଲେ ବୋରିଆ ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରୁ ରିଦ୍ଧିମାନଙ୍କୁ ବାଦ୍ ଦିଆଯାଇଥିଲା। ଏହାର କିଛି ସମୟ ପରେ ସେ ବୋରିଆ ମଜୁମଦାରଙ୍କ ସହ ବାର୍ତ୍ତାଳାପର ଏକ ସ୍କ୍ରିନସଟ୍ ସେୟାର କଲେ, ଯଦିଓ ସେତେବେଳେ ସେ ବୋରିଆଙ୍କ ନାମ ପ୍ରକାଶ କରିନଥିଲେ ।

ଫେବୃଆରୀ ୧୯ରେ ରିଦ୍ଧିମାନ ବୋରିଆଙ୍କ ହ୍ବାଟସଆପ୍ ଚାଟ୍ ର ଏକ ସ୍କ୍ରିନସଟ୍ ସେୟାର କରି ଟ୍ୱିଟରରେ ଲେଖିଥିଲେ, ଭାରତୀୟ କ୍ରିକେଟ୍ ପାଇଁ ମୋର ସମସ୍ତ ଅବଦାନ ପରେ ମୋତେ ତଥାକଥିତ ଜଣେ ସମ୍ମାନିତ ସାମ୍ବାଦିକଙ୍କ ଅପମାନର ସମ୍ମୁଖୀନ ହେବାକୁ ପଡୁଛି । ସାମ୍ବାଦିକତାର ଗତି କୁଆଡ଼େ ଗଲାଣି !

ସାହାଙ୍କ ଟୁଇଟ୍ ଭାଇରାଲ୍ ହୋଇଥିଲା ଏବଂ ତାଙ୍କୁ ଧମକ ଦେଇଥିବା ସାମ୍ବାଦିକଙ୍କୁ ବାସନ୍ଦ କରିବାକୁ ଦାବି ହୋଇଥିଲା। ବହୁ ପୂର୍ବତନ ଭାରତୀୟ କ୍ରିକେଟର ମଧ୍ୟ ଏହାର ଯାଞ୍ଚ ପାଇଁ ଦାବି କରିଥିଲେ। ଯାହା ପରେ ଏହି ମାମଲାର ତଦନ୍ତ କରିବା ପାଇଁ ବିସିସିଆଇ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା। ସାହା ପୂର୍ବରୁ ସାମ୍ବାଦିକଙ୍କ ନାମ ନେବାକୁ ମନା କରିଦେଇଥିଲେ, କିନ୍ତୁ କମିଟି ଆଗରେ ସେ ସାମ୍ବାଦିକଙ୍କ ନାମ ପ୍ରକାଶ କରିଥିଲେ।

Comments are closed.