ପୁଣି ଆରମ୍ଭ ହୋଇପାରେ ଚାମ୍ପିୟନ୍ସ ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ; ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବୋର୍ଡ ମଧ୍ୟରେ ଚାଲିଛି ଆଲୋଚନା

ମୁମ୍ବାଇ: ଦଶ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ଚାମ୍ପିୟନ୍ସ ଲିଗ୍ କ୍ଲବ୍ ଟି-୨୦ ଚାମ୍ପିୟନସିପ ପୁଣି ଆରମ୍ଭ ହୋଇପାରେ। ଏନେଇ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି।

ଚାମ୍ପିୟନ୍ସ ଟି-୨୦ ଲିଗ୍ ଶେଷ ଥର ପାଇଁ ୨୦୧୪ରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଶେଷ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ଟାଇଟଲ୍ ଜିତିଥିଲା | ସେତେବେଳେ ଭାରତର ତିନିଟି ଦଳ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦୁଇଟି ଏବଂ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲ୍ୟାଣ୍ଡର ଗୋଟିଏ ଲେଖାଏଁ ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ।

୨୦୦୯-୧୦ ଓ ୨୦୧୪-୧୫ ମଧ୍ୟରେ ଚାମ୍ପିୟନ୍ସ ଲିଗର ୬ଟି ସଂସ୍କରଣ ଖେଳାଯାଇଥିଲା । ସେଥିମଧ୍ୟରୁ ୪ଟି ଭାରତରେ ଏବଂ ଦୁଇଟି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା | ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଥର ଟାଇଟଲ ଜିତିଥିବା ବେଳେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ଏବଂ ସିଡନୀ ସିକ୍ସର୍ସ ଥରେ ବିଜେତା ହୋଇଥିଲେ।

କ୍ରିକେଟ୍ ଭିକ୍ଟୋରିଆ ସିଇଓ ନିକ୍ କମିନ୍ସ କହିଛନ୍ତି, ସବୁଠାରୁ ବ୍ୟସ୍ତବହୁଳ କ୍ରିକେଟ୍ କ୍ୟାଲେଣ୍ଡରରେ ଚାମ୍ପିୟନ୍ସ ଲିଗ୍ ଟି-୨୦ ପାଇଁ ଏକ ୱିଣ୍ଡୋ ସୃଷ୍ଟି କରିବା ହେଉଛି ସବୁଠାରୁ ବଡ ଚ୍ୟାଲେଞ୍ଜ ।

ଭାରତରେ ମେଲବୋର୍ଣ୍ଣ କ୍ରିକେଟ୍ ଏକାଡେମୀ ଆରମ୍ଭ କରିବା ପାଇଁ ଖେଲୋମୋର ସହ ସହଭାଗିତା ଅବସରରେ ସେ କହିଛନ୍ତି, “ମୁଁ ଭାବୁଛି ଚାମ୍ପିୟନ୍ସ ଲିଗ୍ ଏକ ଅସମୟ ପଦକ୍ଷେପ ଥିଲା। ସେତେବେଳେ ଟି-୨୦ କ୍ରିକେଟ୍ ଏତେ ପରିପକ୍ୱ ହୋଇନଥିଲା। କିନ୍ତୁ ବର୍ତ୍ତମାନ ଏହା ହୋଇପାରିଛି। ”

ସେ କହିଛନ୍ତି, “କ୍ରିକେଟ୍ ଅଷ୍ଟ୍ରେଲିଆ, ଇସିବି ଏବଂ ବିସିସିଆଇ ଏହାକୁ ପୁଣି ଆରମ୍ଭ କରିବାକୁ କଥାବାର୍ତ୍ତା କରୁଛନ୍ତି। ଆଇସିସିର ବ୍ୟସ୍ତବହୁଳ କ୍ୟାଲେଣ୍ଡରରେ ଏଥିପାଇଁ ଏକ ୱିଣ୍ଡୋ ଖୋଜିବା କଷ୍ଟକର । ବୋଧହୁଏ ପ୍ରଥମ ଚାମ୍ପିୟନ୍ସ ଲିଗ୍ ମହିଳା କ୍ରିକେଟରେ ହେବ ଯେଉଁଥିରେ ଡବ୍ଲୁପିଏଲ୍, ଦି ହଣ୍ଡ୍ରେଡ୍ ଏବଂ ମହିଳା ବିଗ୍ ବାଶ୍ ଲିଗ୍ ଟିମ୍ ଖେଳିବେ ।

Comments are closed.