ଟେଷ୍ଟ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା‌ ପାଇଁ ବିସିସିଆଇ ଆରମ୍ଭ କଲା ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା‌ ପାଇଁ ବିସିସିଆଇ ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’ ଘୋଷଣା କରିଛି ।‌ ଏହି ଯୋଜନା ଅଧୀନରେ ଯେଉଁ ଖେଳାଳିମାନେ ଗୋଟିଏ ସିଜନରେ ୭୫% ମ୍ୟାଚ୍ ଖେଳନ୍ତି ସେମାନେ ମ୍ୟାଚ୍ ଫି ଭାବେ ୧୫ ଲକ୍ଷ ପରିବର୍ତ୍ତେ ଏଣିକି ୪୫ ଲକ୍ଷ ପାଇବେ | ଅନ୍ୟପକ୍ଷରେ ୫୦% ରୁ ୭୪% ଟେଷ୍ଟ ଖେଳୁଥିବା କ୍ରିକେଟରଙ୍କୁ ୩୦ ଲକ୍ଷ ଟଙ୍କା ମିଳିବ | କେନ୍ଦ୍ରୀୟ ଚୁକ୍ତି ବ୍ୟତୀତ ଖେଳାଳିଙ୍କୁ ଏହି ମ୍ୟାଚ୍ ଫି ମିଳିବ। ଧର୍ମଶାଳା ଟେଷ୍ଟ ପରେ ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ୍ କରି ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତିି ।

ଏହି ପ୍ରୋତ୍ସାହନ ପିଛିଲା ଭାବେ ୨୦୨୨-୨୩ ସିଜନରେ ଟେଷ୍ଟ କ୍ରିକେଟରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ପାଇଁ ମଧ୍ୟ ଲାଗୁ ହେବ |

ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ​​ଯେ ବିସିସିଆଇ ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ବିଚାର କରୁଛି । ଆଇପିଏଲ୍ ୨୦୨୪ ପରେ ଟେଷ୍ଟ ମ୍ୟାଚ୍ ଫି ବୃଦ୍ଧି ଏବଂ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିବାକୁ ବିସିସିଆଇ ଯୋଜନା କରିଥିଲା ​​। ହେଲେ ଧର୍ମଶାଳା ଟେଷ୍ଟ ପରେ ହିଁ ବୋର୍ଡ ଏହି ଘୋଷଣା କରିଛି। ଧର୍ମଶାଳାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଭାରତ ମାତ୍ର ଅଢେଇ ଦିନରେ ଇଂଲଣ୍ଡକୁ ଇନିଂସ୍ ଓ ୬୪ ରନରେ ହରାଇ ୪-୧ରେ ସିରିଜ୍ କବଜା କରିଥିଲା ।

ରେଡ୍ ବଲ୍ କ୍ରିକେଟକୁ ଗମ୍ଭୀରତାର ସହ ନେବାକୁ ନିକଟରେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଖେଳାଳିଙ୍କୁ ଚେତାବନୀ ଦେଇଥିଲା । ବୋର୍ଡ କହିଥିଲା ଯେ ଯେଉଁ ଖେଳାଳିମାନେ ଫିଟ୍ ଏବଂ ଜାତୀୟ ଦଳର ଅଂଶବିଶେଷ ନୁହଁନ୍ତି ସେମାନଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ। ଏହା ସତ୍ତ୍ୱେ ଇଶାନ କିଶନ, କୃଣାଳ ପାଣ୍ଡ୍ୟା ଏବଂ ଦୀପକ ଚହର ଭଳି ଖେଳାଳି ନିଜ ରାଜ୍ୟ ପାଇଁ ରଣଜୀ ଟ୍ରଫି ନ ଖେଳି ଆଇପିଏଲ୍ ପାଇଁ ପ୍ରସ୍ତୁତି କରିଥିଲେ । ଏଥିରେ କ୍ଷୁବ୍ଧ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ କିଶନ ଓ ଆୟରଙ୍କୁ ବାଦ୍ ଦେଇଥିଲା ।

Comments are closed.