ବିଶ୍ୱକପ୍ ପାଇଁ ସଚିନ୍ ତେନ୍ଦୁଲକରଙ୍କୁ ‘ଗୋଲ୍ଡେନ୍ ଟିକେଟ୍’ ଦେଲା ବିସିସିଆଇ

ମୁମ୍ବାଇ : ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ବିଶ୍ୱକପ ପାଇଁ ବିସିସିଆଇ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ନାମ ହେଉଛି ‘ଗୋଲଡେନ୍ ଟିକେଟ୍ ଫର୍ ଇଣ୍ଡିଆ ଆଇକନ୍ସ ’। ପ୍ରଥମ ଗୋଲଡେନ ଟିକେଟ୍ ଶତାବ୍ଦୀର ନାୟକ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପ୍ରଦାନ କରିଥିଲା ଭାରତୀୟ ବୋର୍ଡ। ଏବେ ବ୍ୟାଟିଂ କିମ୍ବଦନ୍ତୀ ତଥା ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ଏହି ସ୍ଵତନ୍ତ୍ର ଟିକେଟ୍ ଦିଆଯାଇଛି ।

ବିସିସିଆଇ ସମ୍ପାଦକ ଜୟ ଶାହା ସଚିନଙ୍କୁ ଭେଟି ଆଗାମୀ ବିଶ୍ଵକପ ପାଇଁ ଏହି ‘ଗୋଲଡେନ୍ ଟିକେଟ୍’ ଦେଇଛନ୍ତି । ଜୟ ଶାହ କହିଛନ୍ତି ଯେ ସଚିନ ତେନ୍ଦୁଲକର ଆମ ‘ଗୋଲଡେନ୍ ଟିକେଟ୍ ଫର୍ ଇଣ୍ଡିଆ ଆଇକନ୍ସ ’ କାର୍ଯ୍ୟକ୍ରମରେ ପ୍ରମୁଖତାର ସହ ଅଂଶଗ୍ରହଣ କରିବେ। ଏହି ଅବସରରେ ବିସିସିଆଇ ଟ୍ୱିଟ୍ କରି ଲେଖିଛି: କ୍ରିକେଟ୍ ଏବଂ ଦେଶ ପାଇଁ ଏହା ଏକ ସମ୍ମାନଜନକ ମୁହୂର୍ତ୍ତ।

ବିସିସିଆଇ ଲେଖିଛି, “କ୍ରିକେଟ୍ ଉତ୍କର୍ଷତା ଏବଂ ଜାତୀୟ ଗର୍ବର ଏକ ଆଇକନ୍, ସଚିନ୍ ତେନ୍ଦୁଲକରଙ୍କ ଯାତ୍ରା ବହୁ ପୀଢ଼ିକୁ ଅନୁପ୍ରାଣିତ କରିଛି। ବର୍ତ୍ତମାନ ସେ ଏହି ଅଭିଯାନର ଏକ ଅଂଶ ହେବେ ” ।

Comments are closed.