ଭଜନ ଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଦିୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନେଇ ଲାଗି ରହିଥିବା ସସପେନ୍ସ ଦୂର ହୋଇଛି । ପ୍ରଥମ ଥର ବିଧାୟକ ଭଜନ ଲାଲ ଶର୍ମାଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି। ଏହାଛଡ଼ା ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଛି ବିଜେପି ।

ମୁଖ୍ୟମନ୍ତ୍ରୀ ହୋଇଥିବା ଭଜନ ଲାଲ ଶର୍ମା ସାଙ୍ଗାନେର ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ଚାରି ଥର ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ରହିଛନ୍ତି। ଭଜନଲାଲ ଆରଏସ୍ଏସ୍ ସହ ଜଡ଼ିତ ଅଛନ୍ତି ।

ଉପମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରେମଚାନ୍ଦ ବୈରଓ୍ବା ଜୟପୁରର ଡୁଡୁ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୪୪ ବର୍ଷୀୟ ପ୍ରେମଚାନ୍ଦ କଂଗ୍ରେସର ଟାଣୁଆ ନେତା ବାବୁଲାଲ ନାଗରଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ।

ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ରାଜସ୍ଥାନ ରାଜ ପରିବାରରୁ ଆସିଛନ୍ତି। ଦିୟା କୁମାରୀ ବିଦ୍ୟାଧର ନଗର ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ। ଜୟପୁରର ରାଜକୁମାରୀ ଦିୟା କୁମାରୀ ସ୍ୱର୍ଗତ ବ୍ରିଗେଡିୟର୍ ଭବାନୀ ସିଂହ ଏବଂ ମହାରାଣୀ ପଦ୍ମିନୀ ଦେବୀଙ୍କ ଝିଅ ଅଟନ୍ତି। ସେ ୧୦ ବର୍ଷ ତଳେ ରାଜନୀତିରେ ପ୍ରବେଶ କରିଥିଲେ । ଦୀୟା କୁମାରୀ ୨୦୧୩ରେ ସୱାଇ ମାଧୋପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୧୯ରେ ସେ ରାଜସମନ୍ଦରୁ ଲୋକସଭା ନିର୍ବାଚନ ମଧ୍ୟ ଜିତିଥିଲେ।

ରାଜସ୍ଥାନ ବିଧାନସଭାର ୨୦୦ଟି ଆସନ ମଧ୍ୟରୁ ୧୯୯ ଆସନ ପାଇଁ ନଭେମ୍ବର ୨୫ରେ ମତଦାନ ହୋଇଥିଲା। ଏଥିମଧ୍ୟରୁ ବିଜେପି ୧୧୫ଟି ଆସନ ଜିତି ପୂର୍ଣ୍ଣ ବହୁମତ ହାସଲ କରିଥିଲା । ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀରେ ମତଦାନ ସ୍ଥଗିତ ରଖାଯାଇଥିଲା।

Comments are closed.