ବିହାର କ୍ୟାବିନେଟ ସମ୍ପ୍ରସାରଣ: ଆରଜେଡିରୁ ସର୍ବାଧିକ ୧୬ ବିଧାୟକ ହେଲେ ମନ୍ତ୍ରୀ

ପାଟଣା: ବିହାରରେ ନୀତୀଶ କୁମାର ନେତୃତ୍ୱାଧୀନ ମହାମେଣ୍ଟ ସରକାରର ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ମୋଟ ୩୧ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିଜେପିର ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ଅନ୍ୟ ବିରୋଧୀ ଦଳ ସହ ମେଣ୍ଟ ଗଠନ କରିଥିବା ନୀତୀଶ କ୍ୟାବିନେଟର ନୂଆ ମନ୍ତ୍ରୀମାନେ ରାଜ ଭବନରେ ଆୟୋଜିତ ଏକ ଉତ୍ସବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଫାଗୁ ଚୌହାନ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମହାମେଣ୍ଟର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଆରଜେଡିରୁ ସର୍ବାଧିକ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ, ଜେଡିୟୁରୁ ​​୧୧ ଜଣ ଏବଂ କଂଗ୍ରେସରୁ ୨ ଜଣ ଶପଥ ଗ୍ରହଣ କରିଛନ୍ତି।

ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ପାଖରେ ସାଧାରଣ ପ୍ରଶାସନ ସହ ଗୃହ ବିଭାଗ ଓ ଭିଜିଲାନ୍ସ ପରି ବିଭାଗ ରଖିଛନ୍ତି। ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ନଗର ଉନ୍ନୟନ ବିଭାଗ ମିଳିଥିବା ବେଳେ ତାଙ୍କ ଭାଇ ତେଜପ୍ରତାପ ଯାଦବଙ୍କୁ ପରିବେଶ ଓ ବନ ବିଭାଗର ଦାୟିତ୍ବ ମିଳିଛି।

Comments are closed.