ବିକ୍ରମ କେଶରୀ ଆରୁଖ ହେଲେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ନୂଆ ବାଚସ୍ପତି ପାଇଁ ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ବାଚସ୍ପତି ପଦ ପାଇଁ ବିକ୍ରମ ଆରୁଖ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ଆରୁଖ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ଥାନ ନେଇଛନ୍ତି। ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥତା କାରଣରୁ ଜୁନ ୪ରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ।

ବିକ୍ରମ କେଶରୀ ଆରୁଖ ୧୯୮୨-୮୩ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଛାତ୍ର ସଂସଦ ସଭାପତି ଓ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉପସଭାପତି ନିର୍ବାଚିତ ହୋଇଥିଲେ । ଆଇନ ଶିକ୍ଷା ଶେଷ କରି ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ୧୯୯୨ରେ ଭଞ୍ଜନଗର ବ୍ଳକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୧୯୯୫ରେ ଜନତା ଦଳ ଟିକେଟରେ ଲଢ଼ି ଭଞ୍ଜନଗରରୁ ବିଧାୟକ ହୋଇଥିଲେ । ବିଜେଡି ଗଠନ ହେବା ପରେ ୨୦୦୦ ମସିହାରୁ ସେଇ ଭଞ୍ଜନଗର ଆସନରୁ ଲଗାତର ଜିତି ଆସୁଛନ୍ତି ବିକ୍ରମ । ୨୦୦୮ରେ ସେ ସରକାରୀ ମୁଖ୍ୟ ସଚେତକ ଓ ୨୦୦୯ରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବିକ୍ରମ ମନ୍ତ୍ରୀ ରହି ଆସିଥିଲେ।

Comments are closed.