ନ୍ୟାୟପାଳିକା ଉପରେ ବିପ୍ଲବ ଦେବଙ୍କ ବିବାଦୀୟ ମନ୍ତବ୍ୟ; କହିଲେ ଅଦାଲତ ଅବମାନନା ନେଇ ଭୟ କରନି, ପୋଲିସ ମୋ ନିୟନ୍ତ୍ରଣରେ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରି ବିବାଦ ସୃଷ୍ଟି କରିଛନ୍ତି। ସୂଚନା ଅନୁଯାୟୀ, ତ୍ରିପୁରା ସିଭିଲ ସର୍ଭିସ ଅଫିସର୍ସ ଆସୋସିଏସନର ସମ୍ମିଳନୀକୁ ସମ୍ବୋଧନ କରି ବିପ୍ଲବ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ଯେ ସେମାନେ ନ୍ୟାୟପାଳିକାକୁ ଭୟ ନକରି କାର୍ଯ୍ୟ କରନ୍ତୁ । ଅଦାଲତ ଅବମାନନା ନେଇ ଚିନ୍ତା କରନି ବୋଲି ବିପ୍ଲବ ଅଧିକାରୀ ମାନଙ୍କୁ କହିଥିଲେ । ଏହାର ଭିଡିଓ ଏବେ ଭାଇରାଲ୍ ହୋଇଛି ।

ବିପ୍ଲାବ କୁମାର ଦେବ ଏତିକିରେ ଅଟକି ନଥିଲେ। ସେ କହିଥିଲେ ଯେ ଦେଶର ଇତିହାସରେ କେତେ ଲୋକ କୋର୍ଟକୁ ଅବମାନନା କରି ଜେଲ୍ ଯାଇଛନ୍ତି। ଯଦି କୋର୍ଟ ଆମକୁ ଧରିବା ପାଇଁ ପୋଲିସ ପଠାନ୍ତି, ତେବେ ପୋଲିସ କୋର୍ଟକୁ ଅଭିଯୁକ୍ତକୁ ପାଇଲୁ ନାହିଁ ବୋଲି କହିବ ।

ପୋଲିସ ଆମର ନିୟନ୍ତ୍ରଣରେ ଅଛି, କେହି ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ କହିଥିଲେ | ବିପ୍ଲବ ପୁଣି କହିଥିଲେ ଯେ ଅଦାଲତ ଅବମାନନାକୁ ଏପରି ଧରାଯାଉଛି ସତେ ଯେପରି ଆମ ଆଗରେ ବାଘ ବସିଛି। କିନ୍ତୁ ଏଠାରେ ମୁଁ ହେଉଛି ବାଘ | ମୋ ହାତରେ ଶକ୍ତି ଅଛି | ଯଦି କାହାକୁ ଜେଲ ଯିବାକୁ ପଡ଼େ, ତେବେ ମୁଁ ପ୍ରଥମେ ଯିବି |

ଏହି ବିବାଦୀୟ ମନ୍ତବ୍ୟ ଉପରେ ତୃଣମୂଳ କଂଗ୍ରେସ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଟାର୍ଗେଟ କରିଛି । ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବିପ୍ଲବଙ୍କର ଉକ୍ତ ଭିଡିଓ ପୋଷ୍ଟ କରି ଟ୍ୱିଟ୍ କରି କହିଛନ୍ତି ଯେ ଏହା ସମଗ୍ର ଦେଶ ପାଇଁ ଅପମାନ। ସେ ଲଜ୍ଜାଜନକ ଭାବରେ ଗଣତନ୍ତ୍ରକୁ ପରିହାସ କରୁଛନ୍ତି। ଏଭଳି ଅସମ୍ମାନଜକ ମନ୍ତବ୍ୟର ସୁପ୍ରିମକୋର୍ଟ ସଜ୍ଞାନ ନେବେ କି? ସିପିଆଇ (ଏମ୍) ନେତା ଜିତେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ନ୍ୟାୟପାଳିକା ଆମର ଗଣତନ୍ତ୍ରର ଏକ ମଜବୁତ୍ ସ୍ତମ୍ଭ ଅଟେ। ତାଙ୍କ(ବିପ୍ଲବ) ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେ ନ୍ୟାୟପାଳିକାକୁ ସମ୍ମାନ କରନ୍ତି ନାହିଁ। ଏହି ବୟାନ ତାଙ୍କର ହତାଶାକୁ ଦର୍ଶାଉଛି |

Comments are closed.