ବିରେନ ସିଂ ପୁଣି ହେବେ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ଏନ୍ ବିରେନ ସିଂ ମଣିପୁର ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ବିରେନ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଏବଂ ସହ ପର୍ଯ୍ୟବେକ୍ଷକ କିରେନ ରିଜିଜୁ ଉପସ୍ଥିତ ଥିଲେ।

ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସମସ୍ତଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ବିରେନ ସିଂଙ୍କ ନେତୃତ୍ବରେ ମଣିପୁରର ଯେଭଳି ଏକ ସ୍ଥିର ଏବଂ ଦାୟିତ୍ବପୂର୍ଣ୍ଣ ସରକାର ଗଠନ ହେବ ତାହା ନିଶ୍ଚିତ କରାଯିବ। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେଇଛନ୍ତି।

ଏନ ବିରେନ ସିଂଙ୍କ ସହ ବରିଷ୍ଠ ବିଜେପି ବିଧାୟକ ଟି ବିଶ୍ୱଜିତ ସିଂ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଉଭୟ ନେତା ଶନିବାର ଅଲଗା ବିମାନରେ ଦିଲ୍ଲୀ ଆସିଥିଲେ। ଏଠାରେ ସେମାନେ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ। ଆଜି ଉଭୟ ନେତା ଇମ୍ଫାଲକୁ ଫେରିଥିଲେ। ଏହାପୂର୍ବରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମାର୍ଚ୍ଚ ୧୭ ରେ ଦଳ ମଧ୍ୟରେ “ଗୋଷ୍ଠୀବାଦ” ଖବର ମଧ୍ୟରେ ବିରେନ ସିଂ, ଟି ବିଶ୍ୱଜିତ୍ ଏବଂ ବିଜେପି ରାଜ୍ୟ ସଭାପତି ଏ ଶାରଦା ଦେବୀ ଦିଲ୍ଲୀ ଆସିଥିଲେ।

୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ୩୨ଟି ଆସନ ଜିତି ବିଜେପି କ୍ଷମତାକୁ ଫେରିଛି। ୨୦୧୭ରେ କଂଗ୍ରେସର ୨୮ ଟି ଆସନ ତୁଳନାରେ ବିଜେପି ମାତ୍ର ୨୧ଟି ଆସନ ପାଇଥିଲା । ତଥାପି ଦୁଇଟି ସ୍ଥାନୀୟ ଦଳ – ଏନପିପି ଏବଂ ଏନପିଏଫର ସମର୍ଥନରେ ବିଜେପି ୨୦୧୭ରେ ସରକାର ଗଠନ କରିବାରେ ସଫଳ ହୋଇଥିଲା | ତେବେ ଏଥର ନିର୍ବାଚନରେ ବିଜେପି ​ ବହୁମତ ହାସଲ କରିଛି।

Comments are closed.