ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ସ୍ବାଧୀକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ: ଆଦାନୀ ବିବାଦ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବାର ଦିନକ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଦେଇଛନ୍ତି। ନିଶିକାନ୍ତ ଦୁବେ ଲୋକସଭାର ବାଚସ୍ପତିଙ୍କୁ ଚିଠି ଲେଖି କହିଛନ୍ତି ଯେ ବିନା କୌଣସି ପ୍ରମାଣରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ମିଥ୍ୟା, ବିଭ୍ରାନ୍ତିକର ବୋଲି ଦୁବେ ଉଲ୍ଲେଖ କରିଛନ୍ତି । ନିଶିକାନ୍ତ ଦୁବେ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଅପିଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ବିବାଦ ନେଇ ଗତକାଲି ସଂସଦରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ବ୍ୟାପକ ହୋଇଛି ବୋଲି ରାହୁଲ ଅଭିଯୋଗ କରିଥିଲେ । ଆଦାନୀ ଗ୍ରୁପ ସପକ୍ଷରେ କେନ୍ଦ୍ର ନିୟମ ମଧ୍ୟ ପରିବର୍ତ୍ତନ କରିଛି ବୋଲି ସେ ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ରାହୁଲ ଗାନ୍ଧୀଙ୍କ ସଂସଦରେ ଭାଷଣ ସମ୍ପର୍କରେ ସୋମବାର ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ରାହୁଲ ଗାନ୍ଧୀ ଲୋକସଭାରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ । ତାଙ୍କର ସମସ୍ତ ଅଭିଯୋଗ ଭିତ୍ତିହୀନ।

Comments are closed.