ଉତ୍ତରାଖଣ୍ଡରେ ବିଜେପିର ଐତିହାସିକ ବିଜୟ, କିନ୍ତୁ ହାରିଲେ ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ୍: ଉତ୍ତରାଖଣ୍ଡରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ ସହ କ୍ରମାଗତ ଦ୍ବିତୀୟ ଥର ସରକାର ଗଢ଼ିବାକୁ ଯାଉଛି । ଉତ୍ତରାଖଣ୍ଡ ରେ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସି ନାହିଁ। ଏଥର ବିଜେପି ଏହି ଧାରା ଭାଙ୍ଗି ଇତିହାସ ରଚିଛି । ତେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଖତିମା ଆସନରୁ ​​ହାରି ଯାଇଛନ୍ତି| ଧାମୀ ଏଠାରେ କଂଗ୍ରେସ ପ୍ରାର୍ଥୀ ଭୁବନ ଚାନ୍ଦ କାପରୀଙ୍କ ଠାରୁ ୬ ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ ହୋଇଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସର ନିର୍ବାଚନ ପ୍ରଚାର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ​​ହାରିଯାଇଛନ୍ତି ।

ଉତ୍ତରାଖଣ୍ଡର ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଜେପି ତିନିଜଣଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ତୃତୀୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଧାମି, ଯାହାଙ୍କ ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିର୍ବାଚନ ପ୍ରଚାର ପୋଷ୍ଟରରେ ସ୍ଥାନ ପାଇଥିଲା। ମୋଦୀଙ୍କ ସମେତ ସମସ୍ତ ବିଜେପି ନେତା ଧାମିଙ୍କୁ ଏହି ପ୍ରଚାର ମଞ୍ଚରୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ସେ ନିର୍ବାଚନରେ ​​ହାରିଯାଇଥିବାରୁ ବିଜେପି ସାମ୍ନାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିବା ବିଜେପିର ଆଉ ଜଣେ ଟାଣୁଆ ନେତା ସତ୍ୟପାଲ ମହାରାଜ ମଧ୍ୟ ଚୌବଟାଖାଲ ଆସନରୁ ହାରିଯାଇଛନ୍ତି।

Comments are closed.