ବିହାର: ପୋଲିସ ଲାଠିଚାର୍ଜରେ ବିଜେପି ନେତାଙ୍କ ମୃତ୍ୟୁ

ପାଟନା: ଶିକ୍ଷକ ନିଯୁକ୍ତି ମାମଲାରେ ବିହାର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ କରିଛି ପାଟନା ପୋଲିସ । ପୋଲିସ ମାଡ଼ରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଟୁଇଟ୍ କରି ଏପରି ଦାବି କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ବିହାର ପୋଲିସର ଲାଠିଚାର୍ଜରେ ଜେହାନାବାଦ ଜିଲ୍ଲାର ସାଧାରଣ ସମ୍ପାଦକ ବିଜୟ କୁମାର ସିଂହଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ପୋଲିସ ଲାଠିଚାର୍ଜରେ ଆହତ ହେବା ପରେ ବିଜୟ କୁମାର ସିଂହଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବିଜୟ କୁମାର ସିଂ ଡାକ ବଙ୍ଗଳା ଛକ ନିକଟରେ ଲାଠିମାଡ଼ରେ ଆହତ ହୋଇଥିଲେ।

ବିହାରରେ ବିଜେପି ନେତାଙ୍କ ଉପରେ ଲାଠିମାଡ ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପାଟନାରେ ବିଜେପି କର୍ମୀଙ୍କ ଉପରେ ଲାଠି ଚାର୍ଜ ହେଉଛି ରାଜ୍ୟ ସରକାରଙ୍କ ବିଫଳତା ଏବଂ ଅପାରଗତାର ଫଳ। ଦୁର୍ନୀତିର ଦୁର୍ଗକୁ ବଞ୍ଚାଇବା ପାଇଁ ମହାଗଠବନ୍ଧନ ସରକାର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଯେଉଁ ବ୍ୟକ୍ତିଙ୍କ ଉପରେ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି ତାକୁ ବଞ୍ଚାଇବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୈତିକତା ମଧ୍ୟ ଭୁଲି ଯାଇଛନ୍ତି।

Comments are closed.