‘ଅଗ୍ନିବୀରଙ୍କୁ ଆମେ ବିଜେପି ଅଫିସରେ ଗାର୍ଡ ଭାବେ ରଖିବୁ..’

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ ଜାରି ରହିଛି | ଏହାରି ଭିତରେ ଅଗ୍ନିବୀରଙ୍କ ଉପରେ ବିଜେପିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଇନ୍ଦୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟଭର୍ଗୀୟ କହିଛନ୍ତି ଯେ ଯଦି ଦରକାର ପଡ଼େ ତେବେ ଅଗ୍ନିବୀରଙ୍କୁ ଆମେ ବିଜେପି ଅଫିସରେ ଗାର୍ଡ ଭାବେ ନିଯୁକ୍ତି ଦେବୁ। ଅଗ୍ନିବୀରଙ୍କ ଉପରେ ଏଭଳି ମନ୍ତବ୍ୟ ନେଇ ବିରୋଧୀ ଦଳ ବିଜୟଭର୍ଗୀୟଙ୍କୁ ଭର୍ତ୍ସନା କରିଛନ୍ତି ।

ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଜୋରଦାର ଆନ୍ଦୋଳନ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ କୈଳାସ ବିଜୟଭର୍ଗୀୟ । ସେ କହିଥିଲେ, ଅଗ୍ନିବୀରଙ୍କ ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଆମେ ସେମାନଙ୍କୁ ବିଜେପି ଅଫିସରେ ସିକ୍ୟୁରିଟି ଗାର୍ଡ ଭାବେ ପ୍ରାଥମିକତା ଦେବୁ। ସେ କହିଛନ୍ତି ଯେ ଯଦି ଅଗ୍ନବୀର ୨୧ ବର୍ଷ ବୟସରେ ସେନାରେ ଭର୍ତ୍ତି ହୁଅନ୍ତି ଏବଂ ୪ ବର୍ଷ କାର୍ଯ୍ୟକାଳ ପରେ ତାଙ୍କ ବୟସ ୨୫ ବର୍ଷ ହୋଇଥିବ। ଏହା ପରେ ସେମାନଙ୍କୁ ୧୧ ଲକ୍ଷ ଟଙ୍କା ମିଳିବ ଏବଂ ତାଙ୍କ ଛାତିରେ ଅଗ୍ନିବୀର ଟ୍ୟାଗ୍ ମଧ୍ୟ ଲାଗିବ | ବିଜେପି ଅଫିସରେ ଗାର୍ଡ ରଖିବାକୁ ହେଲେ ମୁଁ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବି |

ବିଜୟଭର୍ଗୀୟଙ୍କ ମନ୍ତବ୍ୟକୁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଡ଼ା ନିନ୍ଦା କରିଛନ୍ତି । ଛତିଶଗଡର ମୁଖ୍ୟମନ୍ତ୍ରୀ କହିଛନ୍ତି ଏଭଳି ବୟାନ ଦେଇ ସୈନିକଙ୍କ ଅପମାନ କରୁଛନ୍ତି | ଯେଉଁଭଳି ଭାବରେ ଅଗ୍ନିପଥର ନିଆଁ ଯୁବକମାନଙ୍କ ମଧ୍ୟରେ ବ୍ୟାପିଛି, ଏହାକୁ ଲିଭାଇବା ଏବଂ ଯୋଜନା ବିଷୟରେ ସଠିକ୍ ସୂଚନା ଦେବା ପାଇଁ ବିଜେପି ସରକାର ଯୁବକମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି।

ବିଜୟଭର୍ଗୀୟଙ୍କ ବିବାଦୀୟ ମନ୍ତବ୍ୟ ଉପରେ ତାଙ୍କ ଦଳର ହିଁ ସାଂସଦ ବରୁଣ ଗାନ୍ଧୀ ମଧ୍ୟ ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଯେଉଁ ଭାରତୀୟ ସୈନିକଙ୍କ ପରାକ୍ରମ ବିଶ୍ବବିଦିତ ସେହି ବୀର ଯବାନଙ୍କୁ କୌଣସି ରାଜନୈତିକ କାର୍ଯ୍ୟାଳୟର ‘ଚୌକିଦାରୀ’ କରିବାକୁ ନିମନ୍ତ୍ରଣ ଦେଇଥିବା ବ୍ୟକ୍ତିଙ୍କୁ ଅଭିନନ୍ଦନ। ବିଜୟଭର୍ଗୀୟଙ୍କୁ କଟାକ୍ଷ କରି ବରୁଣ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ସେନା କେବଳ ଚାକିରୀ ନୁହେଁ, ମାତା ଭାରତୀଙ୍କ ସେବା କରିବାର ଏକ ମାଧ୍ୟମ।

Comments are closed.