କର୍ଣ୍ଣାଟକ ନିର୍ବାଚନ: ବିଜେପିରେ ତେଜୁଛି ଅସନ୍ତୋଷ, ବିଧାୟକ ଏମପି କୁମାରସ୍ୱାମୀ ଦଳ ଛାଡ଼ିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ବିଜେପି ବୁଧବାର ଦ୍ୱିତୀୟ ତାଲିକା ଘୋଷଣା କରିଛି | ପ୍ରଥମ ତାଲିକାରେ ୧୮୯ ଜଣ ପ୍ରାର୍ଥୀଙ୍କ ନାମ ଥିବାବେଳେ ଦ୍ବିତୀୟ ତାଲିକାରେ ୨୩ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି । ଦଳର ଅନେକ ବିଧାୟକଙ୍କୁ ଏଥର ଟିକେଟ୍ ଦିଆଯାଇ ନାହିଁ। ଏନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଟିକେଟ୍ ନ ପାଇ ଜଣକ ପରେ ଜଣେ ନେତା ବିଜେପି ଛାଡ଼ୁଛନ୍ତି । ଗତକାଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଲକ୍ଷ୍ମଣ ସାବାଦି ଦଳ ଛାଡ଼ିଥିଲେ । ଆଜି (ଏପ୍ରିଲ୍ ୧୩) ମୁଦିଗେରେର ବିଜେପି ବିଧାୟକ ଏମପି କୁମାରସ୍ୱାମୀ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ କହିଛନ୍ତି ଯେ ବିଜେପିର ଅନେକ ନେତା ଜେଡିଏସରେ ସାମିଲ ହେବେ। ଅନୁସୂଚିତ ଜାତିର ନେତାମାନେ ଜେଡିଏସରେ ଯୋଗ ଦେଇପାରନ୍ତି କିମ୍ବା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।

ଟିକେଟ୍ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ମଧ୍ୟ ଦଳୀୟ ନେତୃବର୍ଗ ଉପରେ ଅସନ୍ତୋଷ ଝାଡିଥିଲେ। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଚେତାବନୀ ଦେଇଥିଲେ ।

ସେହିପରି କର୍ଣ୍ଣାଟକ ବିଜେପିର ଅନ୍ୟତମ ବରିଷ୍ଠ ନେତା କେ.ଏସ୍ ଇଶ୍ୱରପ୍ପା ନିର୍ବାଚନ ​​ଲଢ଼ିବାକୁ ମନା କରିବା ସତ୍ତ୍ବେ ତାଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ସେ ଅସନ୍ତୋଷ ପ୍ରକାଶ କରି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି।

Comments are closed.