କୃଷି ଆଇନ ଫେରାଇ ନେବାକୁ ଘୋଷଣା ପରେ ବିଜେପି ସାଂସଦଙ୍କ ପ୍ରଶ୍ନ : ଏବେ ଚୀନ୍ ଦଖଲରେ ଥିବା ଭାରତୀୟ ଜମି ଫେରାଇ ଆଣିବେ କି ମୋଦି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଚୀନ୍ ଦଖଲରେ ଥିବା ଭାରତୀୟ ଅଞ୍ଚଳ ଫେରାଇ ଆଣିବାକୁ ଦାବି କରିଛନ୍ତି। ଚୀନ୍ ଆମ ଜମି ଦଖଲ କରିଛି, ମୋଦି କ’ଣ ଏହାକୁ ବି ମାନିବେ ଏବଂ ପ୍ରତିଟି ଇଞ୍ଚ ଚୀନ୍ ଦଖଲରୁ ମୁକ୍ତ କରିବେ କି ବୋଲି ସ୍ବାମୀ ପ୍ରଶ୍ନ କରିଛନ୍ତି ।

ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ଯେ ଚୀନ୍ ଆମ ଜମିକୁ ଦଖଲ କରିସାରିଛି ଏବଂ ମୋଦି ଏବଂ ତାଙ୍କ ସରକାର ଚୀନ୍ ଦଖଲରୁ ପ୍ରତି ଇଞ୍ଚ ଜମି ଫେରାଇ ଆଣିବାକୁ ଚେଷ୍ଟା କରିବେ କି? ତାଙ୍କର ଏହି ଟୁଇଟ୍ ଉପରେ ଅନେକ ଲୋକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ବି.କେ ଭରଦ୍ୱାଜ ନାମକ ଜଣେ ଟ୍ୱିଟର ୟୁଜର ପଚାରିଛନ୍ତି, “ସଂସଦରେ ପାରିତ ହୋଇଥିବା ଆଇନ କ’ଣ ଟିଭିରେ ରଦ୍ଦ ହୋଇପାରିବ?” ଏହାର ଜବାବରେ ବିଜେପି ସାଂସଦ ସ୍ବାମୀ ଲେଖିଛନ୍ତି ଯେ ସେ ଏହାକୁ ଫେରାଇ ନେବେ ବୋଲି କହିଛନ୍ତି, ଫେରାଇ ନାହାନ୍ତି। ସ୍ବାମୀ କହିଛନ୍ତି ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉଭୟ ଗୃହରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ଉପସ୍ଥାପନ କରିବେ।

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି। ସ୍ବାମୀ ଏକ ଟ୍ୱିଟ୍ ରେ ଲେଖିଛନ୍ତି ଯେ ମୋଦିଙ୍କ ଘୋଷଣା ପରେ ଖରା ଏବଂ ଶୀତ କାକରରେ ପ୍ରାୟ ଏକ ବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ସମସ୍ୟାର ସମାଧାନ ହେବା ଦେଖି ମୁଁ ଖୁସି। କିନ୍ତୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦରେ ଏକ ପ୍ରସ୍ତାବ ଆଣିବାକୁ ଦାବି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଲୋକଙ୍କ କଥା ଶୁଣିନଥିଲେ ।‌‌ଏଥିପାଇଁ ବିଜେପିକୁ ପ୍ରାୟଶ୍ଚିତ କରିବାକୁ ପଡିବ।

Comments are closed.