ମଣିପୁର ହିଂସା ପାଇଁ ନେହେରୁଙ୍କୁ ଦାୟୀ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ପ୍ରତିବାଦ ଓ ହଟ୍ଟଗୋଳ ଜାରି ରହିଛି। ବିରୋଧୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଜବାବ ଦାବି କରୁଛନ୍ତି। ମଣିପୁର ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ବିଜେପି । ନିକଟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ ଓ ମଣିପୁର ହିଂସା ପାଇଁ ତାଙ୍କୁ ଦାୟୀ କରିଥିଲେ। ଏବେ ଆଉ ଜଣେ ବିଜେପି ସାଂସଦ ରାହୁଲ ଗାନ୍ଧୀଙ୍କୁ ମଣିପୁର ହିଂସା ସହ ଯୋଡିଛନ୍ତି। ସେ ମଣିପୁର ହିଂସା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି।

ବିଜେପି ସାଂସଦ ଜଗନ୍ନାଥ ସରକାର କହିଛନ୍ତି, ରାହୁଲ ଗାନ୍ଧୀ ରାଜନୈତିକ ଇତିହାସ ବିଷୟରେ କେତେ ଜାଣନ୍ତି ମୁଁ ଜାଣେ ନାହିଁ। ସେ ସବୁବେଳେ ଭୁଲ ମନ୍ତବ୍ୟ ଦିଅନ୍ତି। ଯଦି ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୁଏ, ତେବେ କଂଗ୍ରେସ ବିରୋଧରେ ଜନମତ ସୃଷ୍ଟି ହେବ। ଜବାହରଲାଲ ନେହେରୁ ୧୯୬୦ରେ ମଣିପୁର ପାଇଁ ଏକ ଆଇନ ଆଣିଥିଲେ, ଯେଉଁ କାରଣରୁ ରାଜ୍ୟରେ ଏଭଳି ପରିସ୍ଥିତି ଉପୁଜିଛି।

ସେ କହିଛନ୍ତି ଯେ କଂଗ୍ରେସ ସଂସଦରେ ବିତର୍କ ଚାହୁଁ ନାହିଁ । ସେମାନେ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇବାକୁ ଚାହାଁନ୍ତି। ସେମାନେ ପ୍ରଥମେ ଆଲୋଚନା କରିବା ଉଚିତ୍, ତା’ପରେ ପିଏମ ମୋଦୀ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ |

Comments are closed.