ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ବିଜେପି ସାଂସଦଙ୍କ ବିରୋଧ, କହିଲେ ଉତ୍ତର ଭାରତୀୟଙ୍କୁ କ୍ଷମା ନ ମାଗିଲେ ଅଯୋଧ୍ୟାରେ ପୂରାଇ ଦେବୁନି

ନୂଆଦିଲ୍ଲୀ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ଆରମ୍ଭ ହୋଇଛି ବିରୋଧ । ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ରାଜ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ରାଜ ଠାକରେଙ୍କୁ ଅଯୋଧ୍ୟା ସୀମାରେ ପ୍ରବେଶ କରିବାକୁ ଦେବି ନାହିଁ, ରାଜ ଠାକରେ ସବୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗିଲେ ହିଁ ତାଙ୍କୁ ଅଯୋଧ୍ୟାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

କେସିଆରଗଞ୍ଜର ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ଟ୍ୱିଟ କରି କହିଛନ୍ତି ଯେ ଉତ୍ତର ଭାରତୀୟଙ୍କୁ ଅପମାନିତ କରୁଥିବା ରାଜ ଠାକରଙ୍କୁ ଅଯୋଧ୍ୟା ସୀମାରେ ପ୍ରବେଶ କରିବାକୁ ଦେବେ ନାହିଁ। ଅଯୋଧ୍ୟାକୁ ଆସିବା ପୂର୍ବରୁ ରାଜ ଠାକରେ ସମସ୍ତ ଉତ୍ତର ଭାରତୀୟଙ୍କୁ ହାତ ଯୋଡ଼ି କ୍ଷମା ମାଗିବା ଉଚିତ୍। କ୍ଷମା ମାଗିବା ପରେ ରାଜ ଠାକରେ ଅଯୋଧ୍ୟା ଆସିପାରିବେ ।

ବ୍ରିଜ ଭୂଷଣ ଶରଣ ସିଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ରାଜ ଠାକରେଙ୍କୁ ନ ଭେଟିବାକୁ ଅନୁରୋଧ କରିଛନ୍ତି । ଯେ ଯେପର୍ଯ୍ୟନ୍ତ ରାଜ ଠାକରେ ଉତ୍ତର ଭାରତୀୟଙ୍କ ନିକଟରେ କ୍ଷମା ପ୍ରାର୍ଥନା ନକରନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ ରାଜ ଠାକରେଙ୍କୁ ଭେଟିବା ଉଚିତ ନୁହେଁ ବୋଲି ବ୍ରିଜ ଭୂଷଣ କହିଛନ୍ତି ।

ରାମ ମନ୍ଦିର ଆନ୍ଦୋଳନରେ ଠାକରେ ପରିବାରର ଭୂମିକା ସମ୍ପର୍କରେ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, “ରାମ ମନ୍ଦିର ଆନ୍ଦୋଳନଠାରୁ ଆରମ୍ଭ କରି ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ, ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ସାଧାରଣ ଲୋକଙ୍କ ଭୂମିକା ରହିଆସିଛି। ଠାକରେ ପରିବାରର ଏହା ସହିତ କୌଣସି ସମ୍ପର୍କ ନାହିଁ |

ଉଲ୍ଲେଖଯୋଗ୍ୟ, ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ତାଙ୍କ ପରିବାର ସହିତ ଜୁନ୍ ୫ରେ ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.