ବିଜେପି ସାଂସଦ ତେଜସ୍ୱୀ ସୂର୍ୟ୍ୟା ଖୋଲିଥିଲେ ଇଣ୍ଡିଗୋ ବିମାନର ଇମର୍ଜେନ୍ସି ଗେଟ୍, ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା ଫ୍ଲାଇଟ୍

ନୂଆଦିଲ୍ଲୀ: ଗତ ମାସରେ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନର ହଠାତ୍ ଇମର୍ଜେନ୍ସି ଗେଟ୍ ଖୋଲି ଦେଇଥିଲେ। ଏବେ ଜଣାପଡ଼ିଛି ଯେ ଉକ୍ତ ଯାତ୍ରୀ ଜଣକ ହେଉଛନ୍ତି ବିଜେପି ସାଂସଦ ତେଜସ୍ୱୀ ସୂର୍ୟ୍ୟା । ସେହି ବିମାନରେ ଥିବା କିଛି ଯାତ୍ରୀ ଏବେ ଏପରି ଦାବି କରିଛନ୍ତି ।

ବିମାନର ଇମର୍ଜେନ୍ସି ଗେଟ୍ ଖୋଲିବା ଦଣ୍ଡନୀୟ ଅପରାଧ । କିନ୍ତୁ ଇଣ୍ଡିଗୋ ବିଜେପି ସାଂସଦ ତେଜସ୍ୱୀ ସୂର୍ୟ୍ୟାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ବରଂ ଲିଖିତ କ୍ଷମା ପ୍ରାର୍ଥନା ପରେ ତାଙ୍କୁ ସେହି ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା ।

ଏହି ଘଟଣା ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପିର ଭିଆଇପି ଗେହ୍ଲା ପୁଅ ଯେତେବେଳେ ଏପରି କାମ କରିଛନ୍ତି ଏୟାରଲାଇନ ତାଙ୍କ ବିରୋଧରେ ଅଭିଯୋଗ କରିବାକୁ କିପରି ସାହସ କରିପାରିବ ? ବିଜେପି ଯାତ୍ରୀଙ୍କ ସୁରକ୍ଷା ସହ ସାଲିସ୍ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅସଦୁଦ୍ଦିନ ଓୱାଇସି ମଧ୍ୟ ଟ୍ୱିଟ୍ କରି ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଜଣେ ‘ସଂସ୍କାରୀ’ ନାମଧାରୀ ବ୍ୟକ୍ତି ଏପରି କରିଥିବାରୁ ମାମଲାକୁ ହାଲକାରେ ନିଆଯାଇଛି । ଯଦି ‘ଅବଦୁଲ୍ଲା’ ନାମକ ବ୍ୟକ୍ତି ଏପରି କରିଥାନ୍ତା ତେବେ ଝଡ଼ ସୃଷ୍ଟି ହୋଇଥାନ୍ତା ।

ଗତ ବର୍ଷ ଡିସେମ୍ବର ୧୦ରେ ଇଣ୍ଡିଗୋର ଚେନ୍ନାଇ-ତିରୁଚିରାପଲ୍ଲୀ ବିମାନରେ ଜଣେ ଯାତ୍ରୀ ହଠାତ୍ ଇମର୍ଜେନ୍ସି ଦ୍ବାର ଖୋଲିଥିଲେ। ବିମାନଟି ସେହି ସମୟରେ ବିମାନବନ୍ଦରରେ ଥିଲା । ଇମର୍ଜେନ୍ସି ଗେଟ୍ ଖୋଲାଯିବା କାରଣରୁ ଉଡ଼ାଣ ଭରିବା ପୂର୍ବରୁ ବାଧ୍ୟତାମୂଳକ ଇଞ୍ଜିନିୟରିଂ ଯାଞ୍ଚ୍ ହୋଇଥିଲା । ଏହି ଘଟଣା ପାଇଁ ଫ୍ଲାଇଟ୍ ପ୍ରାୟ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା ।

ଇଣ୍ଡିଗୋ ମଙ୍ଗଳବାର ଏକ ବିବୃତ୍ତିରେ କହିଥିଲା ଯେ ଜଣେ ଯାତ୍ରୀ ଚେନ୍ନାଇରୁ ତିରୁଚିରାପଲ୍ଲୀକୁ ଡିସେମ୍ବର ୧୦, ୨୦୨୨ରେ ବିମାନ ନମ୍ବର ୬ଇ-୭୩୩୯ରେ ଯାତ୍ରା କରୁଥିଲେ ଏବଂ ବିମାନରେ ଯିବାବେଳେ ସେ ହଠାତ୍ ଇମର୍ଜେନ୍ସି ଗେଟ୍ ଖୋଲିଥିଲେ। ତେବେ କମ୍ପାନୀ ସେହି ଯାତ୍ରୀଙ୍କ ପରିଚୟ ପ୍ରକାଶ କରିନଥିଲା ।

କମ୍ପାନୀ କହିଛି ଯେ ଯାତ୍ରୀ ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର ଅନୁଯାୟୀ ଏହି ଘଟଣା ପଞ୍ଜିକୃତ ହୋଇଥିଲା ଏବଂ ବିମାନର ବାଧ୍ୟତାମୂଳକ ଇଞ୍ଜିନିୟରିଂ ଯାଞ୍ଚ୍ କରାଯାଇଥିଲା ଯେଉଁଥିପାଇଁ ବିମାନ ବିଳମ୍ବ ହୋଇଥିଲା।

ବିମାନ ଚଳାଚଳ ନିୟାମକ ନିର୍ଦ୍ଦେଶାଳୟ (ଡିଜିସିଏ) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ସହ କୌଣସି ସାଲିସ୍ କରାଯିବ ନାହିଁ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.