ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଛି ବିଜେପି। ଆତିଶୀ ବିଜେପି ବିରୋଧରେ ଏକ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରାଯିବ ବୋଲି ଧମକ ମିଳୁଥିବା ନେଇ ଅଭିଯୋଗ କରିଥିଲେ ଆତିଶୀ। ଏହାର ଦିନକ ପରେ ବିଜେପି ଏହି ଆପ୍ ନେତ୍ରୀଙ୍କୁ ମାନହାନି ନୋଟିସ୍ ପଠାଇଛି ଓ ତାଙ୍କୁ କ୍ଷମା ମାଗିବାକୁ କହିଛି ।

ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚେଦେବ କହିଛନ୍ତି, ‘ସେ (ଆତିଶୀ) ଯାହା ଅଭିଯୋଗ କରିଛନ୍ତି ତା’ର ପ୍ରମାଣ ଦେବା ପାଇଁ ଆମେ ତାଙ୍କୁ ଆଇନଗତ ନୋଟିସ ଦେଇଛୁ । ଆମେ ତାଙ୍କୁ ଏଥିରୁ ଖସି ଯିବାକୁ ଦେବୁ ନାହିଁ। ଏଥର ତାଙ୍କୁ ଉତ୍ତର ଦେବାକୁ ପଡ଼ିବ । ଆତିଶୀଙ୍କ ମିଛ କହୁଛନ୍ତି ଓ ଭିତ୍ତିହୀନ ଅଭିଯୋଗ କରିଛନ୍ତି | ତାଙ୍କୁ କ୍ଷମା ମାଗିବା ପାଇଁ ଆମେ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଥିଲୁ, ବର୍ତ୍ତମାନ ସେହି ସମୟସୀମା ଶେଷ ହୋଇଛି । ତେଣୁ ତାଙ୍କୁ ଆମେ ମାନହାନି ନୋଟିସ୍ ଦେଇଛୁ। ତାଙ୍କୁ ଏହାର ଜବାବ ଦେବାକୁ ୧୫ ଦିନ ସମୟ ଦିଆଯାଇଛି । ଯଦି ସେ ଜବାବ ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ବିଜେପିରେ ସାମିଲ ହେବା ପାଇଁ ଅଫର ମିଳିଛି। ଏଥିପାଇଁ ବିଜେପି ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରିଥିଲା। ତାଙ୍କୁ ବିଜେପିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ବଞ୍ଚାଇବାକୁ କୁହାଯାଇଛି ନଚେତ୍ ଇଡି ତାଙ୍କୁ ଏକ ମାସ ମଧ୍ୟରେ ଗିରଫ କରିବ। କିଛି ଦିନ ମଧ୍ୟରେ ତାଙ୍କ ବାସଭବନ ସହ ତାଙ୍କ ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ଘରେ ଚଢ଼ାଉ କରାଯିବ ଓ ସମନ ଜାରି କରାଯିବ ବୋଲି ଧମକ ମିଳୁଛି ବୋଲି ଆତିଶୀ ଅଭିଯୋଗ କରିଥିଲେ ।

Comments are closed.