ତ୍ରିପୁରା, ନାଗାଲାଣ୍ଡରେ ପୁଣି ବିଜେପି ସରକାର, ମେଘାଳୟରେ ଝୁଲା ବିଧାନସଭା

ନୂଆଦିଲ୍ଲୀ: ଉତ୍ତର-ପୂର୍ବର ତିନି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପି କ୍ଷମତା ବଜାୟ ରଖିବା ନିଶ୍ଚିତ ହୋଇଥିବା ବେଳେ ମେଘାଳୟ ଝୁଲା ବିଧାନସଭା ଆଡକୁ ମୁହାଁଇଛି ‌। ମେଘାଳୟରେ କୌଣସି ଦଳକୁ ବି ପୂର୍ଣ୍ଣ ବହୁମତ ମିଳିନାହିଁ । ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନପିପି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି।

ତ୍ରିପୁରାରେ ୬୦ଟି ଆସନ ମଧ୍ୟରୁ ୪୫ ସିଟର ଫଳାଫଳ ପ୍ରକାଶ ପାଇଛି । ବିଜେପି ଓ ଏହାର ସହଯୋଗୀ ଦଳ ୨୪ଟି ଆସନ ଜିତିଥିବା ବେଳେ ୧୨ଟି ଆସନରେ ଆଗୁଆ ରହିଛନ୍ତି । ରାଜ୍ୟରେ ବିଜେପି ନେତୃତ୍ଵାଧୀନ ମେଣ୍ଟ ପୂର୍ଣ୍ଣ ବହୁମତ ଆଡକୁ ଅଗ୍ରସର ହେଉଛି। ମୁଖ୍ୟମନ୍ତ୍ରୀ ସିଏମ ମାଣିକ ସାହା ବିଜେପିର ବିଜୟ ପାଇଁ ତ୍ରିପୁରାବାସୀ ଓ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଞ୍ଚଳିକ ଦଳ ତିପ୍ରା ମୋଥା ପାର୍ଟି (ଟିଏମପି) ଦ୍ବିତୀୟ ବୃହତ୍ତମ ଦଳ ଭାବେ ୧୩ଟି ଆସନରେ ବିଜୟୀ ହୋଇଛି । ତ୍ରିପୁରାରେ ବାମ ଦଳ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସଫଳ ହୋଇପାରି ନାହିଁ । ସିପିଏମ୍ ୧୧ ଓ କଂଗ୍ରେସ ମାତ୍ର ୩ଟି ସିଟରେ ଅଗ୍ରଣୀ ରହିଛନ୍ତି ।

ନାଗାଲାଣ୍ଡରେ ମଧ୍ୟ ପଦ୍ମ ଫୁଟିଛି । ଏଠାରେ ବିଜେପି ଓ ସହଯୋଗୀ ଦଳ ୨୭ଟି ଆସନ ଜିତିସାରିଥିବା ବେଳେ ୯ଟି ଆସନରେ ଅଗ୍ରଣୀ ରହିଛନ୍ତି । କଂଗ୍ରେସ ଏଠାରେ ଖାତା ଖୋଲିପାରି ନାହିଁ । ଅନ୍ୟ ଦଳଗୁଡ଼ିକ ୨୧ଟି ଆସନରେ ଆଗୁଆ ଅଛନ୍ତି ।

ମେଘାଳୟରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ଏଠାରେ ଏନପିପି ୨୬ ସିଟରେ ବିଜୟୀ/ଅଗ୍ରଣୀ ରହିଥିବା ବେଳେ କଂଗ୍ରେସ ୬, ଟିଏମସି ୫, ବିଜେପି ୩ ଓ ଅନ୍ୟମାନେ ୨୧ଟି ସିଟରେ ଆଗୁଆ କିମ୍ବା ବିଜୟୀ ହୋଇଛନ୍ତି।

Comments are closed.