ବିବାଦୀୟ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ଭେଟିବା ନେଇ ରାହୁଲ ଗାନ୍ଧୀଙ୍କୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ: କଂଗ୍ରେସର ୧୫୦ ଦିନିଆ ‘ଭାରତ ଯୋଡୋ ଯାତ୍ରା’ରେ ବାହାରି ଥିବା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୧୦ରେ ତାମିଲନାଡୁର କନ୍ୟାକୁମାରୀରେ ବିବାଦୀୟ କ୍ୟାଥୋଲିକ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ଏହି ସାକ୍ଷାତର ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଉତ୍ତେଜନାପୂର୍ଣ୍ଣ ତଥା ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ପାଦ୍ରୀ ପୋନ୍ନାୟା ଏହି ଭିଡ଼ିଓରେ ରାହୁଲ ଗାନ୍ଧୀଙ୍କୁ କହୁଛନ୍ତି ଯେ କୌଣସି ଶକ୍ତି କିମ୍ବା ଦେବାଦେବୀ ନୁହଁନ୍ତି ବରଂ କେବଳ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ପ୍ରକୃତ ଭଗବାନ ।” ପାଦ୍ରୀ ପୋନ୍ନାୟାଙ୍କ ହିନ୍ଦୁ ଦେବାଦେବୀ ବିରୋଧୀ ମନ୍ତବ୍ୟ ଓ ତାଙ୍କ ସହ ସାକ୍ଷାତକୁ ନେଇ ବିଜେପି ରାହୁଲଙ୍କୁ ଭର୍ତ୍ସନା କରିଛି ।

ଭାଇରାଲ୍ ଭିଡିଓରେ ବିବାଦୀୟ ପାଦ୍ରୀ ଜର୍ଜ ପୋନ୍ନାୟା ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକୃତ ଭଗବାନ ବୋଲି କହିବା ଏବଂ ହିନ୍ଦୁ ଦେବାଦେବୀଙ୍କୁ ପ୍ରକୃତ ଭଗବାନ ଭାବେ ଗ୍ରହଣ କରିବାକୁ ମନା କରୁଥିବା ଦେଖିବାକୁ ମିଳିଛି। ପ୍ରକୃତରେ ରାହୁଲ ଗାନ୍ଧୀ ତାଙ୍କୁ ଯୀଶୁ ଖ୍ରୀଷ୍ଟ ଭଗବାନଙ୍କର ଏକ ରୂପ କି ବୋଲି ପଚାରିଥିଲେ । ଏହା ଉପରେ ପାଦ୍ରୀ ଜର୍ଜ ପୋନ୍ନାୟା ଏହି ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ବୁଝାଇ କହୁଛନ୍ତି ଯେ, ଯୀଶୁ ଖ୍ରୀଷ୍ଟ ହିଁ ପ୍ରକୃତ ଭଗବାନ, କୌଣସି ଶକ୍ତି କିମ୍ବା ଅନ୍ୟ ଦେବତା ନୁହଁନ୍ତି।

ଏହା ପୂର୍ବରୁ ମଧ୍ୟ ଜର୍ଜ ପୋନ୍ନାୟା ତାଙ୍କର ଅନେକ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେଇଥିବାରୁ ତାଙ୍କୁ ମଦୁରାଇରୁ ଗିରଫ କରାଯାଇଥିଲା।

ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତ ଏବଂ ହିନ୍ଦୁ ଦେବତା ଓ ଦେବୀଙ୍କୁ ଅପମାନିତ କରିବାର ଭିଡିଓ କ୍ଲିପକୁ ନେଇ ଏବେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି ଯେ ଏହା ହେଉଛି ରାହୁଲ ଗାନ୍ଧୀଙ୍କ ଘୃଣା ଯାତ୍ରା। ଆଜି ସେ ଭାରତ ଯୋଡୋ ଯାତ୍ରାରେ ଜର୍ଜ ପୋନ୍ନାୟାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପୋଷ୍ଟର ବୟ କରିଛନ୍ତି, ଯିଏକି ହିନ୍ଦୁମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ, ଧମକ ଦେଇଥିଲେ ଏବଂ ଭାରତ ମାତା ବିଷୟରେ ଅନୁଚିତ କଥା କହିଥିଲେ। ହିନ୍ଦୁ ବିରୋଧୀ ହେବା ଭାବେ କଂଗ୍ରେସର ଲମ୍ବା ଇତିହାସ ରହିଛି।

ଅନ୍ୟପକ୍ଷରେ କଂଗ୍ରେସ ଏହି ଭିଡିଓକୁ ବିଜେପିର ଦୁଷ୍ଟାମି ବୋଲି କହିଛି। ରାହୁଲ ଗାନ୍ଧୀ ଏବଂ ତାମିଲ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ଭାଇରାଲ ଭିଡ଼ିଓ ଉପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି ଯେ ବିଜେପିର ଘୃଣା କାରଖାନା ଏକ ଟୁଇଟ୍ ଭାଇରାଲ କରିବାକୁ ଚେଷ୍ଟା କରୁଛି। ଅଡିଓରେ ଯାହା ରେକର୍ଡ ହୋଇଛି ତା’ ସହିତ ଏହାର କୌଣସି ସମ୍ପର୍କ ନାହିଁ | ଏହା ବିଜେପିର ଚିରାଚରିତ ଦୁଷ୍ଟାମି । ଭାରତ ଯୋଡୋ ଯାତ୍ରାର ସଫଳ ଆରମ୍ଭ ଏବଂ ଲୋକମାନଙ୍କଠାରୁ ସମର୍ଥନ ଦେଖି ସେମାନେ ନିରାଶ ହୋଇଯାଇଛନ୍ତି |”

Comments are closed.