ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିଲାଓ୍ବାଲ ଭୁଟ୍ଟୋଙ୍କ ଅସଭ୍ୟ ମନ୍ତବ୍ୟ ବିରୋଧରେ ଆଜି ବିଜେପିର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଦେଇଥିବା ଅସଭ୍ୟ ମନ୍ତବ୍ୟ ବିରୋଧରେ ଆଜି ବିଜେପି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ।

ବିଜେପିର ଏହି ପ୍ରତିବାଦ ସବୁ ରାଜ୍ୟର ରାଜଧାନୀରେ କରାଯିବ। ବିଜେପି କର୍ମୀମାନେ ଭୁଟ୍ଟୋଙ୍କ କୁଶ ପୁତ୍ତଳିକା ଦାହ କରି ବିରୋଧ ପ୍ରଦର୍ଶନ କରିବେ।

ଏହି ପ୍ରସଙ୍ଗରେ ବିଜେପି ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଅପମାନଜନକ ଏବଂ ଭୀରୁତାର ପରିଚାୟକ। କେବଳ କ୍ଷମତାରେ ରହିବା ପାଇଁ ଏଭଳି ବୟାନ ଦିଆଯାଇଛି।ବିଶ୍ୱକୁ ବିଭ୍ରାନ୍ତ କରିବା ଏବଂ ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି, ଆଇନଶୃଙ୍ଖଳା ପରିସ୍ଥିତି, ସେନାରେ ମତଭେଦ, ବିଶ୍ୱ ସହ ବିଗୁଡ଼ୁଥିବା ସମ୍ପର୍କ ଏବଂ ପାକିସ୍ତାନ ଆତଙ୍କବାଦର ଗଡ଼ ବୋଲି ବିଶ୍ବର ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଶୁକ୍ରବାର ନ୍ୟୁୟର୍କରେ କହିଥିଲେ ଯେ, “ଓସାମା ବିନ୍ ଲାଦେନ୍ ମରି ସାରିଛନ୍ତି କିନ୍ତୁ ‘ଗୁଜରାଟର କଂସାଇ’ ବଞ୍ଚିଛନ୍ତି। ଏବଂ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ତାଙ୍କର ଆମେରିକାରେ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିଲାୱାଲ ଭୁଟ୍ଟୋଙ୍କ ଏଭଳି ଅସଭ୍ୟ ମନ୍ତବ୍ୟକୁ ଭାରତ ନିନ୍ଦା କରିଥିଲା । ଏହା ବିରୋଧର ବିଜେପି ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଆତଙ୍କବାଦ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନକୁ ଭର୍ତ୍ସନା କରିଥିଲେ । ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଲାଓ୍ବାଲ ଭୁଟ୍ଟୋ ମୋଦୀଙ୍କ ଉପରେ ଏଭଳି ଅରୁଚିକର ମନ୍ତବ୍ୟ ଦେଇଥିଲେ । ବୁଧବାର ଜାତିସଂଘ ସୁରକ୍ଷା ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଥିଲେ। ଜୟଶଙ୍କର କହିଥିଲେ ଯେ ଅଲ୍ କାଏଦା ନେତା ଓସାମା ବିନ୍ ଲାଦେନଙ୍କ ପରି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଏବଂ ପଡୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିବା ଦେଶ ଆତଙ୍କବାଦ ନେଇ ଅନ୍ୟକୁ ଉପଦେଶ ନ ଦେଉ ।

Comments are closed.