ଶିବରାଜ ପଦ ‌ବଜାୟ‌ ରଖିବେ ନା ନୂଆ ଚେହେରାଙ୍କୁ ମିଳିବ ଦାୟିତ୍ଵ? ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉପରେ‌ ନିଷ୍ପତ୍ତି

ଭୋପାଳ: ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ। ମଧ୍ୟପ୍ରଦେଶ ବିଜେପିର ନବ ନିର୍ବାଚିତ ବିଧାୟକ ଦଳର ବୈଠକ ସୋମବାର ବସିବ। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। ନଭେମ୍ବର ୧୭ରେ ଅନୁଷ୍ଠିତ ୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ୧୬୩ଟି ଆସନ ଜିତି ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଥିବାବେଳେ କଂଗ୍ରେସ ୬୬ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିନଥିଲା । ଦଳ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନିର୍ବାଚନ ଲଢ଼ିଥିଲା ।

ବିଜେପିର ଜଣେ ବିଧାୟକଙ୍କ କହିବା ମୁତାବକ ବିଧାୟକ ଦଳ ବୈଠକ ସୋମବାର ଅପରାହ୍ନ ୪ଟାରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହି ବୈଠକ ପାଇଁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଦିନ ୧୧ଟା ସୁଦ୍ଧା ଏଠାରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ମଧ୍ୟ ପ୍ରଦେଶ ପାଇଁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦଳର ଓବିସି ମୋର୍ଚ୍ଚା ମୁଖ୍ୟ କେ.ଲକ୍ଷ୍ମଣ ଏବଂ ଆଶା ଲାକ୍ରା |

ଏଥର ବିଜେପି ଶିବରାଜ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପ୍ରୋଜେକ୍ଟ ନକରି ବିଧାନସଭା ନିର୍ବାଚନ ଲଢ଼ିଥିଲା। ଚୌହାନ ରାଜ୍ୟର ଚାରିଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ ୨୦୦୫, ୨୦୦୮, ୨୦୧୩ ଏବଂ ୨୦୨୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ଚୌହାନଙ୍କ ସହ ଓବିସି ନେତା ପ୍ରହ୍ଲାଦ ପଟେଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମର, କୈଲାଶ ବିଜୟଭର୍ଗିୟ, ରାଜ୍ୟ ବିଜେପି ମୁଖ୍ୟ ବିଡି ଶର୍ମା ଏବଂ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି ।

Comments are closed.