ନୂଆଦିଲ୍ଲୀ: ଭାରତୀୟ ଆକାଶମାର୍ଗ ଦେଇ ଯାଉଥିବା ଇରାନର ଏକ ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ । ଚୀନକୁ ଯାଉଥିବା ଏହି ବିମାନରେ ବୋମା ରଖାଯାଇଥିବା ସୂଚନା ପାଇବା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇ ଏହାର ପିଛା କରିଥିବା ଜଣାପଡ଼ିଛି ।
ଇରାନର ଘରୋଇ ବିମାନ କମ୍ପାନୀ ମହାନ ବିମାନର ଏହି ବିମାନ ତେହେରାନରୁ ଚାଇନାର ଗୁଆଙ୍ଗଜୋକୁ ଯାଉଥିଲା । ସୂଚନା ଅନୁଯାୟୀ, ବିମାନର ମୁଖ୍ୟ ପାଇଲଟ୍ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ ପାଇଲଟଙ୍କୁ ଜୟପୁର ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ଅନୁମତି ଦେଇଥିଲା । କିନ୍ତୁ ସେ ମନା କରିଦେଇଥିଲେ। କିଛି ସମୟ ପରେ ମହାନ ଏୟାରର ଏହି ବିମାନ ଭାରତୀୟ ବାୟୁସୀମାରୁ ବାହାରି ଚୀନ୍ ଆଡକୁ ଯାଇଥିଲା ।
ଇରାନ ବିମାନରେ ଥିବା ବୋମା ରଖାଯାଇଥିବା ସୂଚନା ପାଇବା ମାତ୍ରେ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଥିଲେ। ଭାରତୀୟ ବାୟୁସେନା ବିନା ଅବିବିଳମ୍ବେ ପଞ୍ଜାବ ଏବଂ ଯୋଧପୁର ଏୟାରବେସରୁ ଇରାନ ବିମାନ ପଛରେ ଦୁଇ ସୁଖୋଇ ଯୁଦ୍ଧ ବିମାନ ପଠାଇଥିଲା । ଉଭୟ ସୁଖୋଇ ଜେଟ୍ ଏହି ବିମାନରେ ଭାରତୀୟ ବାୟୁସୀମାରୁ ବାହାରିବା ପର୍ଯ୍ୟନ୍ତ ଜଗି ରହିଥିଲେ। ଚୀନ୍ ଯିବା ସତ୍ତ୍ୱେ ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ବାୟୁସେନା ଇରାନର ବିମାନ ଉପରେ ନଜର ରଖିଥିଲେ। ରିପୋର୍ଟ ଅନୁଯାୟୀ, ବିମାନ ରାଡାର ତଥ୍ୟ ଦର୍ଶାଇଛି ଯେ ବିମାନଟି ଭାରତୀୟ ବାୟୁସୀମାରୁ ବାହାରିବା ପୂର୍ବରୁ ଦିଲ୍ଲୀ-ଜୟପୁର ଆକାଶ ସୀମା ଉପରେ କିଛି ସମୟ ଉଚ୍ଚତା କମାଇ ଦେଇଥିଲା। ଏହି ବୋମା ଆତଙ୍କ ଗୁଜବ ଥିଲା ନା ସତ ତାହା ଜଣାପଡ଼ି ନାହିଁ । ସୁରକ୍ଷା ଏଜେନ୍ସି ଏନେଇ ଅଧିକ ସୂଚନା ସଂଗ୍ରହ କରିବାରେ ଲାଗିଛନ୍ତି ।
Comments are closed.