ଏପ୍ରିଲ ୧୦ରୁ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସବୁ ଲୋକଙ୍କୁ ମିଳିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ସରକାର ମାର୍ଚ୍ଚରେ ଦେଶରୁ କରୋନା କଟକଣା ପ୍ରତ୍ୟାହୃତ କରିଥିଲେ ମଧ୍ୟ ଏହି ମହାମାରୀ ବିରୋଧରେ ଲଢେଇ ଶେଷ ହୋଇନାହିଁ। ବିଶେଷକରି ନୂଆ ଭାରିଆଣ୍ଟ ‘ଏକ୍ସଇ’ର ଚିହ୍ନଟ ପରେ ଚତୁର୍ଥ ଲହରର ବିପଦ ରହିଛି । ଏଭଳି ସ୍ଥିତିରେ ସରକାର ବୁଷ୍ଟର ଡୋଜ୍ ଉପରେ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ସବୁ ଲୋକଙ୍କୁ ବୁଷ୍ଟର ଡୋଜ୍ ମିଳିବ। ଏପ୍ରିଲ୍ ୧୦ ରୁ ୧୮ ବର୍ଷରୁ ଅଧିକ ବୟସ୍କ ସବୁ ଲୋକ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ପାଇପାରିବେ ବୋଲି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

୧୮+ ବୟସ ବର୍ଗର ସବୁ ଲୋକଙ୍କ ପାଇଁ ବୁଷ୍ଟର୍ ଡୋଜ୍ ଘୋଷଣା କରି କେନ୍ଦ୍ର କହିଛି ଯେ ଯେଉଁମାନେ ୧୮ ବର୍ଷରୁ ଅଧିକ ସେମାନେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ନେଇପାରିବେ। ଏହି ସୁବିଧା ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ |

ସରକାରୀ ଟିକାକରଣ କେନ୍ଦ୍ରରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପାଇଁ ମାଗଣା ଟିକାକରଣ କାର୍ଯ୍ୟକ୍ରମ ପୂର୍ବପରି ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖଭାଗ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବୁଷ୍ଟର ଡ଼ୋଜ ମଧ୍ୟ ଜାରି ରହିବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୫ ବର୍ଷରୁ ଅଧିକ ବୟସର ୯୬ ପ୍ରତିଶତ କିଶୋରଙ୍କୁ କୋଭିଡ-୧୯ ଟିକାର ଅତିକମରେ ଗୋଟିଏ ଡୋଜ ଦିଆଯାଇଥିବାବେଳେ ୧୫+ ଜନସଂଖ୍ୟାର ୮୩ ପ୍ରତିଶତଙ୍କୁ ଉଭୟ ଡୋଜ ଦିଆଯାଇଛି।

Comments are closed.