ଆଜିଠାରୁ ଭାରତରେ ଦିଆଯିବ ବୁଷ୍ଟର ଡୋଜ୍; ଫ୍ରଣ୍ଟଲାଇନ୍ କର୍ମଚାରୀ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଭାରତରେ ସଂକ୍ରମଣର ବିସ୍ଫୋରଣ ଜାରି ରହିଛି | କରୋନାର ତୃତୀୟ ଲହର ମଧ୍ୟରେ ଆଜି ଠାରୁ ଦେଶରେ ତୃତୀୟ ତଥା ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ | ବିଶ୍ବର ବିଭିନ୍ନ ଦେଶରେ ଟିକାର ତୃତୀୟ ଡୋଜକୁ ବୁଷ୍ଟର୍ ଡୋଜ୍ ବୋଲି କୁହାଯାଉଛି । କିନ୍ତୁ ଭାରତ ଏହାକୁ ‘ପ୍ରିକସନ୍ ବା ସତର୍କତା ଡୋଜ୍’ ଭାବେ ନାମିତ କରିଛି |

ହୃଦଘାତ, ମଧୁମେହ, କିଡନୀ ରୋଗ ତଥା ଅନ୍ୟାନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ସ୍ବାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ୍ କର୍ମଚାରୀଙ୍କୁ ଏହି ପ୍ରିକସନ ବା ବୁଷ୍ଟର ଡୋଜ୍ ଦିଆଯିବ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଲୋକମାନେ ବୁଷ୍ଟର ଡୋଜ୍ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରାଯିବା ଉଚିତ । ଜାନୁୟାରୀ ୮ରୁ କେନ୍ଦ୍ର ସରକାରଙ୍କ କୋ-ୱିନ୍ ଆପରେ ପ୍ରିକସନ୍ ଡୋଜ୍ ପାଇଁ ଆପଏଣ୍ଟମେଣ୍ଟ୍ ବୁକିଂ ଆରମ୍ଭ ହୋଇଛି |

ଦେଶକୁ ସୁରକ୍ଷିତ କରୁଥିବା ହେଲଥ ଆର୍ମିର ସୁରକ୍ଷାକୁ ସରକାର ସୁନିଶ୍ଚିତ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏକ କୋଟିରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦+ ନାଗରିକଙ୍କୁ ପ୍ରିକସନ୍ ଡୋଜ୍ ପାଇଁ ରିମାଇଣ୍ଡର ଏସ୍ଏମ୍ଏସ୍ ପଠାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଫ୍ରଣ୍ଟଲାଇନ କର୍ମଚାରୀ (ସ୍ବାସ୍ଥ୍ୟ କର୍ମୀ, ପୋଲିସ୍ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ) ଏବଂ ଗୁରୁତର ରୋଗରେ ପୀଡିତ ବରିଷ୍ଠ ନାଗରିକମାନେ ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ନେଇପାରିବେ |

ବୁଷ୍ଟର ଡୋଜ୍ ନେବାକୁ ଚାହୁଁଛନ୍ତି ବ୍ୟକ୍ତି ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରିବେ । କିନ୍ତୁ ଏହି ଡୋଜ୍ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ । ବିନା ଡାକ୍ତରୀ ପ୍ରମାଣପତ୍ର କିମ୍ବା ପ୍ରେସକ୍ରିପସନରେ ଲୋକମାନେ ବୁଷ୍ଟର ଡୋଜ୍ ନେଇପାରିବେ |

ଦ୍ୱିତୀୟ ଡୋଜର ନଅ ମାସ ପରେ ହିଁ ବୁଷ୍ଟର୍ ଡୋଜ୍ ନେବା ଉଚିତ | ଏହି ଦୃଷ୍ଟିକୋଣରୁ, ଯେଉଁମାନେ ଏପ୍ରିଲ୍ ୨୦୨୧ର ପ୍ରଥମ ସପ୍ତାହରେ ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି, ସେମାନେ ବର୍ତ୍ତମାନ ତୃତୀୟ ବା ବୁଷ୍ଟର ଡୋଜ୍ ନେଇପାରିବେ |

ଆପଣ ପୂର୍ବରୁ ଯେଉଁ ଟିକାର ଦୁଇ ଡୋଜ୍ ନେଇଛନ୍ତି, ସେହି ଟିକାର ହିଁ ତୃତୀୟ ଡୋଜ୍ ପାଇବେ । ଉଦାହରଣ ସ୍ୱରୂପ, ଯଦି ଆପଣ କୋଭିଶିଲ୍ଡର ଦୁଇ ଡୋଜ୍ ନେଇଛନ୍ତି ତେବେ ବୁଷ୍ଟର ଡୋଜ୍ ମଧ୍ୟ କୋଭିଶିଲ୍ଡର ହିଁ ହେବ ।

Comments are closed.