ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଣିପୁର ତାତି, ଉଭୟ ଗୃହ ଆସନ୍ତାକାଲି ଯାଏଁ ମୁଲତବୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ହେଲେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ସର୍ବସାଧାରଣରେ ଚଲେଇ ଚଲେଇ ନେବା ଭାଇରାଲ ଭିଡିଓ ଘଟଣାକୁ ନେଇ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିମାସ ପରେ ପ୍ରଥମ ଥର ପାଇଁ ମଣିପୁର ହିଂସା ସମ୍ପର୍କରେ ଏକ ବୟାନ ଦେଇଥିଲେ।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ସଂସଦ ବାହାରେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଦୋଷୀଙ୍କୁ ଛଡ଼ା ଯିବ ନାହିଁ। ସେ ଏହି ଘଟଣାକୁ ‘ସମଗ୍ର ଦେଶ ପାଇଁ ଲଜ୍ଜାଜନକ’ ବୋଲି କହିଛନ୍ତି।

ଗୁରୁବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ମଣିପୁର ଘଟଣାରେ ସରକାରଙ୍କୁ ଆକ୍ରମଣ କରିଥିଲେ ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ କହିଥିଲେ, ମଣିପୁର ଜଳୁଛି, ମହିଳାମାନଙ୍କୁ ବଳାତ୍କାର କରାଯାଉଛି, ସେମାନଙ୍କୁ ଉଲଗ୍ନ କରି ପରେଡ୍ କରାଯାଉଛି । ହେଲେ ପ୍ରଧାନମନ୍ତ୍ରୀ ଚୁପଚାପ ବସି ବାହାରେ ବୟାନ ଦେଉଛନ୍ତି।

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଜୁଲାଇ ୨୧ ଶୁକ୍ରବାର ଦିନ ସକାଳ ୧୧ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଆମେ ଏହା ସ୍ପଷ୍ଟ କରିଛୁ ଯେ ଆମେ ଉଭୟ ଗୃହରେ ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ମଣିପୁର ଏକ ସମ୍ବେଦନଶୀଳ ବିଷୟ | ବିତର୍କ ସମୟରେ ଗୃହମନ୍ତ୍ରୀ ବିସ୍ତୃତ ଉତ୍ତର ଦେବେ। ଏହି ପ୍ରସଙ୍ଗରେ ବିତର୍କ ପାଇଁ ବାଚସ୍ପତିଙ୍କୁ ଏକ ତାରିଖ ସ୍ଥିର କରିବାକୁ ଅନୁମତି ଦିଆଯିବା ଉଚିତ୍। ”

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି, “
ଏହା ବଡ଼ ଅଜବ ଯେ ସଂସଦ ଭିତରେ ପ୍ରଧାନମନ୍ତ୍ରୀ ଯାହା କହିବା ଉଚିତ୍, ସେ ସଂସଦ ବାହାରେ କହୁଛନ୍ତି। ମୁଁ ତାଙ୍କୁ ନିବେଦନ କରୁଛି ଯେ ଗୃହ ଭିତରେ ନୀରବତା ଭାଙ୍ଗନ୍ତୁ। ସଂସଦ ହେଉଛି ସବୁଠାରୁ ବଡ ମଞ୍ଚ … ଯେତେବେଳେ ଆମେ ତାଙ୍କୁ ମଣିପୁର ବିଷୟରେ ପଚାରିବୁ, ସେ ରାଜସ୍ଥାନ କଥା କହୁଛନ୍ତି | ସବୁ ବିଷୟରେ ଆଲୋଚନା ହେଉ କିନ୍ତୁ ପ୍ରଥମେ ମଣିପୁର ବିଷୟରେ ଆଲୋଚନା ହେବା ଉଚିତ । କିନ୍ତୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ଏନେଇ ଗମ୍ଭୀର ନଥିବା ପରି ମନେ ହେଉଛି ।

Comments are closed.