ବହୁ ଚର୍ଚ୍ଚିତ ନିଠାରି ମାମଲାରେ ଦୁଇ ଅଭିଯୁକ୍ତ ଦୋଷମୁକ୍ତ

ପ୍ରୟାଗରାଜ: ନୋଏଡାର ବହୁ ଚର୍ଚ୍ଚିତ ନିଠାରି ଗଣହତ୍ୟା ମାମଲାରେ ସୋମବାର ଆହ୍ଲାବାଦ ହାଇକୋର୍ଟ ଦୋଷୀ ସୁରେନ୍ଦ୍ର କୋଲି ଏବଂ ମନିନ୍ଦର ସିଂ ପାଣ୍ଢେରଙ୍କୁ ଦୋଷମୁକ୍ତ କରିଛନ୍ତି । ଗାଜିଆବାଦର ସିବିଆଇ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ରଦ୍ଦ କରି ହାଇକୋର୍ଟ ଉଭୟ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୁରେନ୍ଦ୍ର କୋଲି ୧୨ଟି ମାମଲାରେ ମିଳିଥିବା ମୃତ୍ୟୁ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମନିନ୍ଦର ସିଂ ପାଣ୍ଢେର୍ ଦୁଇଟି ମାମଲାରେ ଫାଶି ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ।

ଆହ୍ଲାବାଦ ହାଇକୋର୍ଟ ଏକାସାଙ୍ଗରେ ଏହି ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଶୁଣାଣି ଶେଷ ହେବା ପରେ ହାଇକୋର୍ଟ ସେପ୍ଟେମ୍ବର ୧୫ରେ କୋଲି ଓ ପାଣ୍ଢେରଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ର ଏବଂ ଜଷ୍ଟିସ୍ ଏସ୍ ରିଜଭିଙ୍କ ଖଣ୍ଡପୀଠ ଉପଯୁକ୍ତ ପ୍ରମାଣ ଅଭାବରୁ ଦୁଇ ଦୋଷୀଙ୍କ ମୃତ୍ୟୁଦଣ୍ଡ ରଦ୍ଦ କରିଛନ୍ତି ।

୨୦୦୬ ମସିହାରେ ନିଠାରି ସିରିଏଲ୍ କିଲିଂ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ପାଣ୍ଢେରଙ୍କ ଘର ପଛପଟ ନାଳରୁ ଏକ ନିଖୋଜ ପିଲାର ହାଡ଼ ମିଳିବା ପରେ ପୁରା ମାମଲାର ପର୍ଦ୍ଦାଫାସ୍ ହୋଇଥିଲା । ସେହି ନାଳରୁ ଗୋଟିଏ ନୁହେଁ ବରଂ ଅନେକ ପିଲାଙ୍କ କଙ୍କାଳ ହାଡ଼ ମିଳିବା ପରେ ସୁରେନ୍ଦ୍ର କୋଲି ଓ ମନିନ୍ଦର ସିଂ ପାଣ୍ଢେରଙ୍କ ପୈଶାଚିକ କାର୍ଯ୍ୟ ଉପରୁ ପରଦା ହଟିଥିଲା । ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ଅନେକ ଛୋଟ ପିଲାମାନଙ୍କୁ ପ୍ରଲୋଭିତ କରି ପାଣ୍ଢେରଙ୍କ ଘରକୁ ଡ଼ାକି ସେମାନଙ୍କୁ ବଳାତ୍କାର ପରେ ହତ୍ୟା କରୁଥିଲା । ପାଣ୍ଢେରଙ୍କ ଘରେ ଚାକର ଭାବେ କାମ କରୁଥିଲା କୋଲି । କୋଲିର ଏଭଳି ବିଭତ୍ସ କାଣ୍ଡରେ ପାଣ୍ଢେର୍ ମଧ୍ୟ ଭାଗୀଦାର ଥିଲେ । ଉଭୟ ପାଣ୍ଢେରଙ୍କ ନୋଏଡା ସ୍ଥିତ ନିଠାରି ଘରେ ୨୦୦୫ ରୁ ୨୦୦୬ ମଧ୍ୟରେ ଏଭଳି ଅନେକ ପିଲାଙ୍କୁ ବଳାତ୍କାର ଓ ହତ୍ୟା କରିଥିଲେ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଘର ପଛପଟ ନାଳରେ ଫିଙ୍ଗି ଦେଉଥିଲେ । ଏପରିକି ଦୁହେଁ ନର ମାଂସ ଭକ୍ଷଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ‌। କୋଲି ଜଣେ ୨୦ ବର୍ଷୀୟା ଯୁବତୀକୁ ମଧ୍ୟ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଏହି ମାମଲାକୁ ସିବିଆଇକୁ ଦିଆଯାଇଥିଲା।‌ ଏହି ମାମଲାରେ ଗାଜିଆବାଦର ସିବିଆଇ କୋର୍ଟ କୋଲି ଏବଂ ପାଣ୍ଢେରଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଉଭୟ ହାଇକୋର୍ଟ ଯାଇଥିଲେ ।

Comments are closed.