ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ମିଳିଲା ଜାମିନ, ଜୁଲାଇ ୨୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ :ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ଏବଂ ନିଲମ୍ବିତ ସାଧାରଣ ସମ୍ପାଦକ ବିନୋଦ ତୋମାରଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୋଗକାରୀ ଏବଂ ସାକ୍ଷୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବିତ ନ କରିବାକୁ ବ୍ରିଜ ଭୂଷଣଙ୍କୁ କହିଛନ୍ତି କୋର୍ଟ ।

ବ୍ରିଜ ଭୂଷଣ ମଧ୍ୟ ବିନା ଅନୁମତିରେ ବିଦେଶ ଯାଇପାରିବେ ନାହିଁ। ଏହି ସମସ୍ତ ସର୍ତ୍ତକୁ କଡ଼ାକଡ଼ି ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ରେ ହେବ।

କୋର୍ଟ ଏହି ମାମଲାରେ ଜୁଲାଇ ୧୮ରେ ବ୍ରିଜ ଭୂଷଣ ଏବଂ ବିନୋଦ ତୋମାରଙ୍କୁ ଦୁଇ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

ବ୍ରିଜ ଭୂଷଣଙ୍କ ବିରୋଧରେ ୬ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସ୍ ଏହି ମାମଲାରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ଜୁନ୍ ୧୫ରେ ବ୍ରିଜ ଭୂଷଣ ଓ ତେମରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ବ୍ରିଜଭୂଷଣଙ୍କ ବିରୋଧରେ ଯେଉଁ ୬ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ କରିଥିଲେ, ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଥିଲା । ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ‘ପକ୍ସୋ ଆଇନ୍‌’ ଅନୁଯାୟୀ ରୁଜୁ ହୋଇଥିଲା । ପରେ ନାବାଳିକା କୁସ୍ତିଯୋଦ୍ଧାଙ୍କ ବାପା ବ୍ରିଜଭୂଷଣଙ୍କ ବିରୋଧରେ ସେ ପ୍ରତିଶୋଧ ପରାୟଣ ହୋଇ ମିଛ କେସ୍ କରିଛନ୍ତି ବୋଲି କହିଥିଲେ ।

Comments are closed.