ବ୍ରିଟେନ୍ ସାଂସଦ ଡେଭିଡ ଆମେସଙ୍କୁ ହତ୍ୟା

ଲଣ୍ଡନ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କଞ୍ଜର୍ଭେଟିଭ୍ ପାର୍ଟି ସାଂସଦ ଡେଭିଡ ଆମେସଙ୍କୁ ଏକ ଚର୍ଚ୍ଚରେ ଛୁରୀ ଭୁଷି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଛୁରୀ ଆକ୍ରମଣ ପରେ ୬୯ ବର୍ଷୀୟ ସାଂସଦ ଡେଭିଡ ଆମେସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଦକ୍ଷିଣ ପୂର୍ବ ଇଂଲଣ୍ଡର ନିଜ ନିର୍ବାଚନମଣ୍ଡଳୀ ଏସେକ୍ସରେ ଏକ ଚର୍ଚ୍ଚ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ସେଠାରେ ତାଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି।

ସାଂସଦ ଡେଭିଡ ଆମେସ ସହରର ଲି-ଅନ୍-ସିରେ ଥିବା ବେଲଫେୟାର ମେଥୋଡିଷ୍ଟ ଚର୍ଚ୍ଚରେ ତାଙ୍କ ସହକର୍ମୀଙ୍କ ସହ ବୈଠକ କରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡେଭିଡ ଆମେସଙ୍କୁ ଆକ୍ରମଣକାରୀ ବହୁଥର ଛୁରୀ ଭୁଷି ଥିଲା। ଏସେକ୍ସ ପୋଲିସ କହିଛି ଯେ ଏହି ଘଟଣା ସ୍ଥାନୀୟ ସମୟ ଅପରାହ୍ନ ୧୨.୦୫ ରେ ଘଟିଛି। ଘଟଣା ପରେ ଘଟଣାସ୍ଥଳରୁ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆକ୍ରମଣକାରୀଙ୍କ ନିକଟରୁ ଏକ ଛୁରୀ ଉଦ୍ଧାର କରାଯାଇଥିଲା। ଡେଭିଡ ଆମେସ ପ୍ରାୟତଃ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଭେଟନ୍ତି।

ସଂସଦରେ ଉଠାଯିବାକୁ ଥିବା ସମସ୍ୟା ବିଷୟରେ ସେ ଲୋକଙ୍କଠାରୁ ସୂଚନା ସଂଗ୍ରହ କରୁଥିଲେ। ଡେଭିଡ ଆମେସ ବ୍ରେକ୍ସିଟ୍ (ୟୁରୋପୀୟ ସଂଘରୁ ବ୍ରିଟେନର ପ୍ରସ୍ଥାନ)ର ଜଣେ ଦୃଢ ସମର୍ଥକ ଥିଲେ। ତାଙ୍କ ପରି ସଂସଦଙ୍କ ଦଳର ସମର୍ଥନ ଯୋଗୁଁ ବ୍ରିଟେନ ୟୁରୋପୀୟ ସଂଘରୁ ଓହରିବା ସମ୍ଭବ ହୋଇଥିଲା। ଡେଭିଡ ଆମେସ ପ୍ରଥମେ ୧୯୮୩ ମସିହାରେ ବେସିଲଡନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୭ରେ ସାଉଥେଣ୍ଡ ୱେଷ୍ଟର ସାଂସଦ ହୋଇଥିଲେ। ତା’ପରଠୁ ଆମେସ୍ ସାଉଥେଣ୍ଡ ୱେଷ୍ଟ ଆସନରୁ କ୍ରମାଗତ ସାଂସଦ ଭାବରେ ନିର୍ବାଚିତ ହୋଇଆସିଥିଲେ। ଲି-ଆନ୍-ସି ଅଞ୍ଚଳ ଏହି ନିର୍ବାଚନ ମଣ୍ଡଳୀରେ ଆସେ |

Comments are closed.