ମହୁମାଛି ଜଗିବେ ସୀମା ! ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ

ନୂଆଦିଲ୍ଲୀ: ସୀମାପାର ଚୋରା ଚାଲାଣ ଏବଂ ଅନୁପ୍ରବେଶକୁ ରୋକିବା ବିଏସ୍ଏଫ୍ ପାଇଁ ସର୍ବଦା ଆହ୍ବାନପୂର୍ଣ୍ଣ କାର୍ଯ୍ୟ ହୋଇଥାଏ । ବାଂଲାଦେଶ ଓ ଭାରତ ସୀମାରେ ଅନୁପ୍ରବେଶ ଓ ଚୋରା ଚାଲାଣ ରୋକିବାକୁ ବିଏସ୍ଏଫ୍ ଏକ ଅଭିନବ ଉପାୟ ଆପଣେଇବାକୁ ଯାଉଛି । ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଏହା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ |

ଏକ ରିପୋର୍ଟ ଅନୁଯାୟୀ, ମହୁମାଛିଙ୍କ ସହାୟତାରେ ଏବେ ସୀମାକୁ ସୁରକ୍ଷିତ କରିବ ବିଏସ୍ଏଫ୍ । ‘ଭାଏବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ଅଧୀନରେ ବିଏସ୍ଏଫ୍ ଏହି ପ୍ରକଳ୍ପ ଉପରେ କାମ କରୁଛି। ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍ଏଫ୍ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍ଏଫ୍ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି। ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ। ଏହାଛଡ଼ା ମହୁମାଛିଙ୍କୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବିଏସ୍ଏଫ୍ ବର୍ତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବା ଉପରେ କାମ କରୁଛି ।

ବିଏସ୍ଏଫ୍ ସୀମାରେ ଲାଗିଥିବା ତାରବାଡ଼ ନିକଟରେ ମହୁମାଛି ବସା ତିଆରି କରୁଛି । ଯଦି କୌଣସି ଅନୁପ୍ରବେଶକାରୀ କିମ୍ବା ଚୋରା ଚାଲାଣକାରୀ ବାଡକୁ ଛୁଇଁବେ ତେବେ ସେମାନେ ମହୁମାଛିଙ୍କ ଆକ୍ରମଣର ଶିକାର ‌ହେବେ । ଏହି ଉପାୟରେ ମହୁମାଛିମାନେ ବର୍ତ୍ତମାନ ସୀମାରେ ବିଏସଏଫକୁ ସହାୟତା କରିବେ। ଯଦି ଏହି ଯୋଜନା ସଫଳ ହୁଏ, ତେବେ ସୀମା ସୁରକ୍ଷା କ୍ଷେତ୍ରରେ ବିଏସ୍ଏଫକୁ ଅତିରିକ୍ତ ସହାୟତା ମିଳିବ |

କେବଳ ଏତିକି ନୁହେଁ, ବିଏସ୍ଏଫ୍ ସୀମାରେ ଏପରି ଗଛ ଏବଂ ଫୁଲ ଲଗାଉଛି ଯାହା ସେଠାରେ ମହୁମାଛିଙ୍କୁ ଆକର୍ଷିତ କରିବ | ମହୁମାଛିରୁ ମିଳିଥିବା ମହୁକୁ ବିଏସ୍ଏଫ୍ ‘ଓ୍ବାଇଭସ୍ ୱେଲଫେୟାର ଆସୋସିଏସନ୍’ କିଣିବେ ଏବଂ ପରେ ଏହାକୁ ବିକ୍ରି କରାଯିବ | ଏଥିରୁ ମିଳୁଥିବା ଲାଭାଂଶରୁ ଅଧା ଗ୍ରାମବାସୀମାନଙ୍କୁ ମଧ୍ୟ ଦିଆଯିବ । ଗୋଟିଏ କାର୍ଯ୍ୟରୁ ଦୁଇଟି ଲାଭ ହେବ | ସୀମାରେ ଅତିରିକ୍ତ ସୁରକ୍ଷା ମିଳିବା ସହ ସ୍ଥାନୀୟ ଲୋକେ ରୋଜଗାର ବି ପାଇବେ |

Comments are closed.