ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିମାଡ଼ରେ ବିଏସ୍ଏଫ୍ ଯବାନ ସହିଦ୍

ଶ୍ରୀନଗର: ପାକିସ୍ତାନ ରେଞ୍ଜର୍ସ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି । ଜମ୍ମୁ-କାଶ୍ମୀରର ସମ୍ୱା ଜିଲ୍ଲାର ରାମଗଡ଼ ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳି ବର୍ଷା ଯୋଗୁଁ ଜଣେ ବିଏସ୍ଏଫ୍ ଯବାନ ସହିଦ୍ ହୋଇଛନ୍ତି । ଗତ ୨୪ ଦିନରେ ତୃତୀୟ ଥର ପାଇଁ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି ।

ବିଏସ୍ଏଫ୍ ଏକ ବିବୃତ୍ତିରେ କହିଛି, “ନଭେମ୍ବର ୮-୯ ରାତିରେ ପାକିସ୍ତାନ ରେଞ୍ଜର୍ସ ରାମଗଡ ଅଞ୍ଚଳରେ ଅକାରଣେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ବିଏସ୍ଏଫ୍ ଯବାନ । ଏଥିରେ ଜଣେ ବିଏସଏଫ ଯବାନ ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା। ”

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆହତ ବିଏସ୍ଏଫ୍ ଯବାନଙ୍କୁ ରାତି ପ୍ରାୟ ଗୋଟାଏରେ ରାମଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ତାଙ୍କୁ ଜମ୍ମୁର ଜିଏମସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.