ବିଏସ୍ଏଫ୍ ଯବାନଙ୍କ ଉପରେ ବାଂଲାଦେଶୀ ଚାଷୀଙ୍କ ଘାତକ ଆକ୍ରମଣ, ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଗଲେ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ମୁତୟନ ଦୁଇ ଜଣ ବିଏସ୍ଏଫ୍ ଯବାନଙ୍କୁ ୧୦୦ରୁ ଅଧିକ ବାଂଲାଦେଶୀ ଚାଷୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଉଭୟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ବାଂଲାଦେଶୀ ଚାଷୀମାନେ ସେମାନଙ୍କର ଗୋରୁ ଚରାଇବା ପାଇଁ ଭାରତ ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କୁ ଅଟକାଇବାରୁ ସେମାନେ ବିଏସ୍ଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିବା ସହ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ପଳାଇ ଯାଇଥିଲେ।

ଏହି ଘଟଣା ସମ୍ପର୍କରେ ବିଏସ୍ଏଫ୍ ଏକ ବିବୃତ୍ତିରେ କହିଛି ଯେ ନିର୍ମଲଚର ସୀମା ଆଉଟପୋଷ୍ଟ ନିକଟରେ ଏହି ଘଟଣା ଘଟିଛି । ଏଠାରେ ୩୫ତମ ବାଟାଲିୟନର ଦୁଇଜଣ ଯବାନ ପାଟ୍ରୋଲିଂ କରୁଥିଲେ। ଭାରତୀୟ ଚାଷୀ ଅଭିଯୋଗ କରିଥିଲେ ଯେ ବାଂଲାଦେଶୀ ଚାଷୀ ଗୋରୁ ଚରାଇବା ପାଇଁ ସେମାନଙ୍କ ଜମିରେ ପଶି ଜାଣିଶୁଣି ସେମାନଙ୍କ ଫସଲ ନଷ୍ଟ କରିଥିଲେ । ବିଏସ୍ଏଫ୍ ଯବାନମାନେ ଅସ୍ଥାୟୀ ଭାବରେ ସୀମା ନିକଟରେ ଏକ ପୋଷ୍ଟ ସ୍ଥାପନ କରି ଭାରତୀୟ ଚାଷୀଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ।

ବିଏସ୍ଏଫ୍ ଏହି ପ୍ରସଙ୍ଗ ବାଂଲାଦେଶର ବର୍ଡର ଗାର୍ଡ୍ସ (ବିଜିବି) ସହିତ ଉଠାଇଛି ଓ ଏକ ଫ୍ଲାଗ୍ ମିଟିଂ ମଧ୍ୟ ଡାକିଛି। ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ କୁହାଯାଇଛି | ନିର୍ମଲଚର ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ ପାଟ୍ରୋଲିଂ ବେଶ୍ କଷ୍ଟକର ବୋଲି କହିଛି ବିଏସ୍ଏଫ୍ । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଏସ୍ଏଫ୍ ଯବାନ ଏଠାରେ ଦିନରାତି ସୀମା ଜଗି ରହନ୍ତି।

Comments are closed.