ହୋହଲ୍ଲାରେ ସରିଲା ବଜେଟ୍ ଅଧିବେଶନ, ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ

ନୂଆଦିଲ୍ଲୀ: ହୋହଲ୍ଲା ମଧ୍ୟରେ ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ରଖାଯାଇଛି।

ଆଜି ଉଭୟ ଗୃହରେ ବଜେଟ୍ ଅଧିବେଶନର ଶେଷ ଦିନ ଥିଲା । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆଦାନୀ ଓ ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କୌଣସି କାର୍ଯ୍ୟ ହୋଇପାରିନଥିଲା ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭାରେ ୩୪% ଏବଂ ରାଜ୍ୟସଭାର ୨୪.୪% କାର୍ଯ୍ୟ ହୋଇଛି। ବଜେଟ୍ ଅଧିବେଶନ ୩୧ ଜାନୁଆରୀରୁ ଆରମ୍ଭ ହୋଇଥିଲା।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ କହିଛନ୍ତି, “ସରକାର ବଜେଟ ଉପରେ ଆଲୋଚନା ନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ତାହା ପାଳନ କରୁନାହାନ୍ତି । ୫୦ ଲକ୍ଷ କୋଟିର ବଜେଟ୍ କେବଳ ୧୨ ମିନିଟରେ ପାସ୍ ହୋଇଛି | ସେମାନେ କହୁଛନ୍ତି ବିରୋଧୀମାନେ ଆଗ୍ରହୀ ନୁହଁନ୍ତି । କିନ୍ତୁ ସରକାର ହିଁ ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିଲେ।

ଏହାପୂର୍ବରୁ ବିରୋଧୀ ଦଳ ସଂସଦ ଭବନରୁ ବିଜୟଚୌକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରିଥିଲେ।

Comments are closed.