ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ବୁମ୍ରା ଚତୁର୍ଥ ସ୍ଥାନକୁ ଉନ୍ନୀତ, କୋହଲି ନବମକୁ ଖସିଲେ

ଦୁବାଇ: ସଦ୍ୟତମ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ପେସର୍ ଜସପ୍ରୀତ ବୁମ୍ରା ଲମ୍ବା ଲମ୍ଫ ମାରିଛନ୍ତି । ସେ ୬ଟି ସ୍ଥାନ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ସେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପାଞ୍ଚ ୱିକେଟ୍ ସଫଳତା ସହ ମୋଟ ଆଠଟି ୱିକେଟ୍ ନେଇଥିଲେ। ବୁମ୍ରା ଘରେ ପ୍ରଥମ ଥର ପାଇଁ ଗୋଟିଏ ଟେଷ୍ଟ ଇନିଂସରେ ପାଞ୍ଚ ଓ୍ବିକେଟ୍ ସଫଳତା ପାଇଥିଲେ । ଅନ୍ୟପକ୍ଷରେ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ସ୍ଥାନ ହରାଇଛନ୍ତି। ତାଙ୍କୁ ହଟାଇ ୱେଷ୍ଟଇଣ୍ଡିଜ୍‌ର ଜେସନ ହୋଲ୍ଡର ପୁଣି ଶୀର୍ଷକୁ ଫେରିଛନ୍ତି।

ବୋଲରଙ୍କ ର଼୍ୟାଙ୍କିଙ୍ଗରେ ୨୮ ବର୍ଷୀୟ ବୁମ୍ରା ପାକିସ୍ତାନର ଶାହିନ୍ ଆଫ୍ରିଦି, ନ୍ୟୁଜିଲାଣ୍ଡର କାଇଲ୍ ଜାମିସନ୍ ଏବଂ ଟିମ୍ ସାଉଦି, ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍, ଦକ୍ଷିଣ ଆଫ୍ରିକୀୟ ଜନ୍ମିତ କିଓ୍ବି କ୍ରିକେଟର ନୀଲ ୱାଗ୍ନର୍ ଏବଂ ଅଷ୍ଟ୍ରେଲିଆର ଜୋସ୍ ହାଜଲେଉଡଙ୍କୁ ଟପିଛନ୍ତି ।

ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପଞ୍ଚମରୁ ନବମ ସ୍ଥାନକୁ ଖସି ଆସିଛନ୍ତି। ସାଥୀ ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ହଟାଇ ଭାରତୀୟ ପେସର୍ ମହମ୍ମଦ ଶାମି ଗୋଟିଏ ସ୍ଥାନ ଉଠି 17 ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଶ୍ରୀଲଙ୍କାର ଲସିଥ ଏମ୍ବଲଡେନିଆ ଏବଂ ପ୍ରବୀଣ ଜୟବିକ୍ରମେ ଯଥାକ୍ରମେ 32 ତମ ଏବଂ 45 ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ, ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଦକ୍ଷିଣ ଆଫ୍ରିକାର ପେସର କାଗିସୋ ରାବାଡା ଶୀର୍ଷ ତିନିଟି ସ୍ଥାନ ବଜାୟ ରଖିଛନ୍ତି।

ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଦିମୁତ କରୁଣାରତ୍ନେ ମଧ୍ୟ ଟପ୍-୫ରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଇନିଂସରେ କରୁଣାରତ୍ନେ ଲଢୁଆ ୧୦୭ ରନ୍ କରିଥିଲେ । ଏହି ଶତକୀୟ ଇନିଂସ ଯୋଗୁଁ କରୁଣାରତ୍ନେ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ ପୂର୍ବକ ୩ ନମ୍ବରରେ ପହଞ୍ଚିଛନ୍ତି | ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନୁସ୍ ଲାବୁସେନ ଶୀର୍ଷରେ ରହିଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜମ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ପରେ ଇଂଲଣ୍ଡର ଜୋ ରୁଟ୍, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଏବଂ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ ଅଛନ୍ତି।

Comments are closed.