ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ: କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ପରେ ଶୀର୍ଷକୁ ଫେରିଲେ ବୁମରା

ଦୁବାଇ: ଓଭାଲରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ରେକର୍ଡ ପ୍ରଦର୍ଶନ ଯୋଗୁଁ ଭାରତର ଷ୍ଟାର ଦ୍ରୁତ ବୋଲର ଯସପ୍ରୀତ ବୁମରାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। । ସଦ୍ୟତମ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ବୁମରା ଶୀର୍ଷ ସ୍ଥାନକୁ ଫେରିଛନ୍ତି ‌। ବୁମରା ଏବେ ଦିନିକିଆ ଫର୍ମାଟରେ ବିଶ୍ୱର ନମ୍ବର ଓ୍ବାନ୍ ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୧୯ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡର ଯେକୌଣସି ଭାରତୀୟ ବୋଲରଙ୍କ ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ବୁମରାଙ୍କ ମଧ୍ୟ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ବୁମରା ନ୍ୟୁଜିଲାଣ୍ଡର ପେସର ଟ୍ରେଣ୍ଟ ବୋଲ୍ଟ ଏବଂ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ବୋଲିଂ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ପାଞ୍ଚଟି ସ୍ଥାନ ଲମ୍ଫ ଦେଇ ଶୀର୍ଷରେ ପହଞ୍ଚିଛନ୍ତି । ବୁମରାଙ୍କ ପାଖରେ ୭୧୮ ରେଟିଂ ପଏଣ୍ଟ ଅଛି | ବର୍ତ୍ତମାନ ବୋଲ୍ଟ ଦ୍ୱିତୀୟ ସ୍ଥାନକୁ ଖସିଥିବାବେଳେ ଆଫ୍ରିଦି ତୃତୀୟ ଏବଂ ଅଷ୍ଟ୍ରେଲିଆର ପେସର ଜୋଶ ହାଜଲେଉଡ୍ ଚତୁର୍ଥ ସ୍ଥାନରେ ଅଛନ୍ତି।

ଦିନିକିଆ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ଜସପ୍ରୀତ ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ନାହାଁନ୍ତି। ବୁମରାଙ୍କ ପରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଦ୍ଵିତୀୟ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ବୋଲର । ଚହଲ ଟପ୍-୨୦ରେ ସ୍ଥାନ ପାଇଛନ୍ତି। ସେ ୨୦ ନମ୍ବରରେ ଅଛନ୍ତି | ମହମ୍ମଦ ଶାମି ୨୩ ତମ ସ୍ଥାନରେ ଏବଂ ଭୁବନେଶ୍ୱର କୁମାର ୨୫ ତମ ସ୍ଥାନରେ ଅଛନ୍ତି |

ଫେବୃଆରୀ ୨୦୨୦ରେ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କ ଠାରୁ ବୁମରା ନମ୍ବର ଓ୍ବାନ୍ ମାନ୍ୟତା ହରାଇଥିଲେ | ଏହାପୂର୍ବରୁ ଗତ ଦୁଇ ବର୍ଷରେ ସେ ଅଧିକାଂଶ ସମୟ ନଂ ୧ ରହିଥିଲେ | ବୁମରା ମୋଟ ୭୩୦ ଦିନ ପାଇଁ ଦିନିକିଆ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବୋଲର ରହିଥିଲେ | ଯାହାକି କୌଣସି ଭାରତୀୟଙ୍କ ପାଇଁ ସର୍ବାଧିକ | ଏହାପୂର୍ବରୁ ବୁମରା ଟି-20ରେ ମଧ୍ୟ ନମ୍ବର -୧ ବୋଲର ରହିଛନ୍ତି । ସେ ବର୍ତ୍ତମାନ ଟେଷ୍ଟ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଅଛନ୍ତି, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା | କପିଳ ଦେବଙ୍କ ପରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପେସର୍ ଯିଏକି ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଅନିଲ କୁମ୍ବଲେ, ରବିନ୍ଦ୍ର ଜାଡେଜା ମଧ୍ୟ ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ବୋଲର ହୋଇଛନ୍ତି ।

Comments are closed.