ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବୁମରା ବାଦ୍

ନୂଆଦିଲ୍ଲୀ: ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳିବେ ନାହିଁ । ଫିଟନେସ୍ କାରଣରୁ ତାଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି।

ସୂଚନା ଅନୁଯାୟୀ, ବୁମରା ସମ୍ପୂର୍ଣ୍ଣ ଫିଟନେସ୍ ହାସଲ କରିନାହାଁନ୍ତି । ତାଙ୍କୁ ଏବେ ଖେଳାଇ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ |

ଜାନୁଆରୀ ୩ରେ ବିସିସିଆଇ ପକ୍ଷରୁ ହିଁ କୁହାଯାଇଥିଲା ଯେ ଏହି ୨୯ ବର୍ଷୀୟ ଦ୍ରୁତ ବୋଲର ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି |

ଗତ ବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ବୁମରା ଏକ ଟ୍ରେନିଂ ଅଧିବେଶନରେ ଆହତ ହୋଇଥିଲେ। ଏଥିପାଇଁ ସେ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପରୁ ମଧ୍ୟ ବଞ୍ଚିତ ହୋଇଥିଲେ ।

ବୁମ୍ରା ୨୫ ସେପ୍ଟେମ୍ବର ୨୦୨୨ରେ ଶେଷ ମ୍ୟାଚ୍ ଖେଳିଥିଲେ | ସେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ଆଘାତରୁ ଫେରିଥିଲେ। ସେ ପ୍ରଥମ ମ୍ୟାଚ୍ ଖେଳି ନଥିଲେ ଏବଂ ଏହା ପରେ ସେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ରେ ପ୍ଲେଇଙ୍ଗ୍-୧୧ର ସାମିଲ ହୋଇଥିଲେ | ଏହା ପରେ ସେ ପୁଣି ଆହତ ହୋଇ ବାଦ୍ ପଡ଼ିଥିଲେ।

ଗତ ବର୍ଷ ଅଗଷ୍ଟରେ ୟୁଏଇରେ ଖେଳାଯାଇଥିବା ଏସିଆ କପ୍ ସମୟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଆହତ ହୋଇଥିଲେ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ପରେ ତାଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେ ମଧ୍ୟ ସମ୍ପ୍ରତି ଟିମ୍ ବାହାରେ ଅଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂ।

Comments are closed.