ମାଗଣା ଯୋଜନା ଜାରି ରଖିଲେ ଶ୍ରୀଲଙ୍କା ଭଳି ହୋଇଯିବ ରାଜ୍ୟ ମାନଙ୍କର ଅବସ୍ଥା, ମୋଦିଙ୍କୁ ଚେତାଇଲେ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ବୈଠକରେ କେତେକ ବରିଷ୍ଠ ଅଧିକାରୀ ବିଭିନ୍ନ ରାଜ୍ୟ ଦ୍ଵାରା ଘୋଷିତ ଜନପ୍ରିୟ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏପରି ଯୋଜନା ଆର୍ଥିକ ଦୃଷ୍ଟିରୁ ସମୀଚୀନ ନୁହେଁ । ଯଦି ଏପରି ମାଗଣା ଯୋଜନା ଜାରି ରୁହେ, ଦେଶର ଅବସ୍ଥା ଶ୍ରୀଲଙ୍କା ପରି ହୋଇପାରେ ବୋଲି ବରିଷ୍ଠ ଅଧିକାରୀ ମାନେ ଚେତାବନୀ ଦେଇଛନ୍ତି ।

ଶନିବାର ପ୍ରଧାନମନ୍ତ୍ରୀ ମୋଦି ୭, ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ କ୍ୟାମ୍ପ ଅଫିସରେ ସମସ୍ତ ବିଭାଗର ସଚିବଙ୍କ ସହ ଚାରି ଘଣ୍ଟିଆ ବୈଠକ କରିଥିଲେ। ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ୨୪ ରୁ ଅଧିକ ସଚିବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜ ନିଜ ମତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ରଖିଥିଲେ । ମୋଦି ମଧ୍ୟ ସମସ୍ତଙ୍କ କଥା ମନଧ୍ୟାନ ଦେଇ ଶୁଣିଥିଲେ । ସୂତ୍ରରୁ ପ୍ରକାଶ, ଆର୍ଥିକ ଦୃଷ୍ଟିରୁ ଅବସ୍ଥା ଭଲ ନଥିବା ଏକ ରାଜ୍ୟରେ ସମ୍ପ୍ରତି ବିଧାନସଭା ନିର୍ବାଚନ ବେଳେ ଘୋଷଣା କରାଯାଇଥିବା ଜନପ୍ରିୟ ଯୋଜନା ଗୁଡିକ ସମ୍ପର୍କରେ ଦୁଇ ସଚିବ ଚିନ୍ତା ପ୍ରକଟ କରିଥିଲେ । ସେମାନେ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ଯୋଜନା ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ସେମାନେ ଆର୍ଥିକ ଦୃଷ୍ଟିରୁ ସମ୍ଭବପର ନୁହେଁ । ଏପରି ମାଗଣା ଯୋଜନା ରାଜ୍ୟଗୁଡ଼ିକୁ ଶ୍ରୀଲଙ୍କା ରାସ୍ତାରେ ନେଇପାରେ।

ଶ୍ରୀଲଙ୍କା ବର୍ତ୍ତମାନ ଇତିହାସର ସବୁଠାରୁ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଇନ୍ଧନ, ରନ୍ଧନ ଗ୍ୟାସ୍, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି| ଏହାଛଡ଼ା, ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.