ଆଜି ଆସିବ ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟର ୭ ବିଧାନସଭା ଆସନରେ ମଙ୍ଗଳବାର ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ।

ଏହି ବିଧାନସଭା ଆସନ ଗୁଡ଼ିକ ହେଲା ତ୍ରିପୁରାର ଧନପୁର ଏବଂ ବକ୍ସନଗର, ପଶ୍ଚିମବଙ୍ଗର ଧୁପଗୁଡି, କେରଳର ପୁଥୁପଲ୍ଲୀ, ଉତ୍ତର ପ୍ରଦେଶର ଘୋସି, ଝାଡ଼ଖଣ୍ଡର ଡୁମରୀ ଓ ଉତ୍ତରାଖଣ୍ଡର ବାଗେଶ୍ୱର ।

ଘୋସି ଏବଂ ଧାନପୁର ବିଧାୟକ ଇସ୍ତଫା ଦେଇଥିବା ବେଳେ ଅବଶିଷ୍ଟ ପାଞ୍ଚଟି ଆସନରେ ବିଧାୟକଙ୍କ ମୃତ୍ୟୁ କାରଣରୁ ଉପନିର୍ବାଚନ ହୋଇଥିଲା । ଏହି ଆସନ ଗୁଡ଼ିକରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।

ଧୁପଗୁଡି ଏବଂ ପୁଥୁପଲ୍ଲି ବିଧାନସଭା ଆସନରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳ ମୁହାଁମୁହିଁ ହୋଇଛନ୍ତି। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ପରେ ପୁଥୁପଲ୍ଲି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା।

ଏହି ଆସନରେ ତାଙ୍କ ପୁଅ ଚାଣ୍ଡି ଓମେନଙ୍କୁ କଂଗ୍ରେସ-ୟୁଡିଏଫ ପ୍ରାର୍ଥୀ ଭାବେ ମନୋନୀତ କରିଥିବାବେଳେ ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ୍ର ଜେସ୍ ସି ଥୋମାସ୍ ତାଙ୍କ ବିରୋଧରେ ଲଢୁଛନ୍ତି।

ଉତ୍ତର ପ୍ରଦେଶର ଘୋସି ବିଧାନସଭା ଆସନରେ ଦାରା ସିଂ ଚୌହାନ ୨୦୨୨ ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରେ ଜିତିଥିଲେ । କିନ୍ତୁ ପରେ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ବର୍ତ୍ତମାନ ବିଜେପି ଦାରା ସିଂ ଚୌହାନଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିଥିବାବେଳେ ତାଙ୍କ ମୁକାବିଲା ଏସପିର ସୁଧାକର ସିଂ ହୋଇଛି ।

Comments are closed.