ଆଇପିଏଲରେ ସିଏଏ, ଏନଆରସି ପୋଷ୍ଟର ଉପରେ କଟକଣା

ନୂଆଦିଲ୍ଲୀ : ଚଳିତ ଆଇପିଏଲ ସମୟରେ ଚାରିଟି ଭେନ୍ୟୁ ଦିଲ୍ଳୀ, ମୋହାଲି, ହାଇଦ୍ରାବାଦ ଓ ଅହମ୍ମଦାବାଦରେ ଦର୍ଶକ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ସମ୍ବନ୍ଧୀୟ ପୋଷ୍ଟରକୁ ନିଷିଦ୍ଧ କରାଯାଇଛି । ଏହି ଚାରିଟି ଭେନ୍ୟୁରେ ଦର୍ଶକମାନେ ଏଭଳି ପୋଷ୍ଟର ଆଣିପାରିବେ ନାହିଁ ବୋଲି ଏକ ଆଡଭାଇଜାରି ଜାରି କରାଯାଇଛି ।

ଚେନ୍ନାଇ ସୁପରକିଙ୍ଗ୍‌ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଟାଇଟନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟଓ, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ପାଇଁ ଟିକେଟିଂ ପାର୍ଟନର ଥିବା ‘ପେଟିଏମ୍ ଇନସାଇଡର’ ଷ୍ଟାଡିୟମକୁ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଆଣିବା ଉପରେ କଟକଣା ଲଗାଇଛି । ଏଥିମଧ୍ୟରେ ସିଏଏ ଓ ଏନଆରସି ପୋଷ୍ଟର ମଧ୍ୟ ରହିଛି ।

ଉପରୋକ୍ତ ଫ୍ରାଞ୍ଚାଇଜମାନଙ୍କ ଦ୍ୱାରା ଏଭଳି ଆଡଭାଇଜାରି ଜାରି କରାଯାଇଛି । କାରଣ ଏହି ଫ୍ରାଞ୍ଚାଇଜ୍ ମାନେ ନିଜ ଘରୋଇ ମ୍ୟାଚ୍ ପାଇଁ ଟିକେଟିଂ ବ୍ୟବସାୟ ପରିଚାଳନା କରନ୍ତି । ବିସିସିଆଇ ସହ ପରାମର୍ଶ ପରେ ଏହି ଚାରି ଷ୍ଟାଡିୟମକୁ ଏଭଳି ସମ୍ବେଦନଶୀଳ ଓ ରାଜନୈତିକ ପୋଷ୍ଟର ଉପରେ କଟକଣା ଲାଗିଛି ।

ନାଗରିକତା ସଂଶୋଧନ ଆଇନ, ୨୦୧୯ ବା ‘ସିଏଏ’ ୧୨ ଡିସେମ୍ବର ୨୦୧୯ରେ ସଂସଦରେ ଗୃହୀତ ହୋଇଥିଲା । ଏହି ଆଇନ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ହିନ୍ଦୁ, ଶିଖ, ପାର୍ସି, ଜୈନ, ବୌଦ୍ଧ ଭଳି ସଂଖ୍ୟାଲଘୁ ନାଗରିକ ଯଦି ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ଆସି ରହୁଥାନ୍ତି, ତେବେ ସେମାନଙ୍କୁ ସ୍ଥାୟୀ ନାଗରିକତା ପ୍ରଦାନ କରାଯିବ । ତେବେ ଏହି ତିନି ଦେଶର ମୁସଲିମ ମାନଙ୍କୁ ଏହି ଆଇନରୁ ବାଦ୍ ଦିଆଯାଇଛି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମୁସଲିମଙ୍କ ପ୍ରତି ଭେଦଭାବ ଅଭିଯୋଗରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଅନ୍ୟପକ୍ଷରେ ନାଗରିକତା ଆଇନ, ୧୯୫୫ରେ ସଂଶୋଧନ ପୂର୍ବକ ୨୦୦୩ରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରସ୍ତୁତ କରାଯାଇଥିଲା । ଦେଶର ସବୁ ମୂଳ ବାସିନ୍ଦାଙ୍କ ରେକର୍ଡ ଏନଆରସିରେ ରହିଥାଏ । ଏହାଛଡ଼ା ବେଆଇନ ଭାବେ ଦେଶରେ ରହୁଥିବା ପ୍ରବାସୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ମଧ୍ୟ ଏନଆରସି ଉଦ୍ଦିଷ୍ଟ ।

କୋଭିଡ୍‌-୧୯ ପରେ ଏବେ ଆଇପିଏଲ୍ ସବୁ ଷ୍ଟାଡିୟମରେ ପୂର୍ଣ୍ଣ କ୍ଷମତା ସହ ଅନୁଷ୍ଠିତ ହେଉଛି । ତେବେ ସମ୍ବେଦନଶୀଳ ତଥା ରାଜନୈତିକ ପୋଷ୍ଟର ବିବାଦରୁ ଦୂରରେ ରହିବା ପାଇଁ ଏପରି କଟକଣା ଜାରି କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଦିଲ୍ଲୀ, ଗୁଜରାଟ, ପଞ୍ଜାବ ଓ ହାଇଦ୍ରାଦାଦ ଦଳର ଘରୋଇ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କଲାବେଳେ ଏଭଳି ଆଡଭାଇଜାରି ‘ପେଟିଏମ୍ ଇନସାଇଡର’ରେ ଦେଖିବାକୁ ମିଳୁଛି ।

Comments are closed.