ବୀରଭୂମ ହିଂସା ମାମଲା: ୨୪ ଘଣ୍ଟା ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ମମତା ସରକାରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟରେ ୮ ଜଣଙ୍କୁ ପୋଡ଼ି ହତ୍ୟା ମାମଲାରେ ୨୪ ଘଣ୍ଟା ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କଲିକତା ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାସ୍ଥଳରେ ଯେଭଳି ପ୍ରମାଣ ନଷ୍ଟ ନ ହେବ ତାହା ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗତକାଲି ଘଟିଥିବା ଏହି ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

ବୁଧବାର ଦିନ ବୀରଭୂମ ହିଂସା ମାମଲାରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କଲିକତା ହାଇକୋର୍ଟ ରାମପୁରହାଟ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବୋରେଟୋରୀରୁ ଏକ ଟିମ୍ ଅଗ୍ନିକାଣ୍ଡ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ।

କୌଣସି ପ୍ରମାଣ ନଷ୍ଟ ଯେଭଳି ନ ହେବ ତାହା ନିଶ୍ଚିତ କରିବାକୁ ହାଇକୋର୍ଟ କହିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଗ୍ରାମବାସୀ ଏବଂ ସାକ୍ଷୀଙ୍କୁ ସୁରକ୍ଷା ନିଶ୍ଚିତ କରିବାକୁ ଜିଲ୍ଲା କୋର୍ଟ ଏବଂ ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ପୋଷ୍ଟମର୍ଟମ ହେବାର ଅଛି, ତେବେ ଏହାକୁ ଭିଡିଓଗ୍ରାଫ୍ କରିବାକୁ ପଡିବ | ସୂଚନାଯୋଗ୍ୟ ଯେ ପୂର୍ବରୁ ଶୁଣାଣି ସମୟରେ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରିବାକୁ ପ୍ରସ୍ତୁତ ବୋଲି କହିଥିଲା। ସିବିଆଇ କୋର୍ଟଙ୍କୁ କହିଥିଲା ଯେ ଯଦି ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତି, ତେବେ ସେମାନେ ଘଟଣାର ତଦନ୍ତ କରିବେ।

Comments are closed.