ଅଗ୍ନିପଥ ଯୋଜନା ବିରୋଧରେ ଆଜି ଭାରତ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାପୂର୍ବରୁ ଅଗ୍ନିପଥ ବିରୋଧରେ ବିହାର ଏବଂ ଝାଡ଼ଖଣ୍ଡରେ ଦିନିକିଆ ବନ୍ଦ ଡାକରା ଦିଆଯାଇଥିଲା । ଆଜି ଦେଶବ୍ୟାପୀ ବନ୍ଦ ଡାକରା ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଆଜି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିହାର, ଉତ୍ତର ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ ଓ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରେଳ ଷ୍ଟେସନ ଗୁଡ଼ିକରେ ମଧ୍ୟ ଆରପିଏଫ ଏବଂ ଜିଆରପିକୁ ଆଲର୍ଟ କରାଯାଇଛି। ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଥାଉକି, ଚାରି ଦିନର ତୀବ୍ର ବିରୋଧ ପରେ ରବିବାର ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ ତେଲେଙ୍ଗାନା ସମେତ ୧୦ଟି ରାଜ୍ୟରେ କୌଣସି ହିଂସା ବା ବିକ୍ଷୋଭ ହୋଇନଥିଲା । ଅଗ୍ନିପଥ ଯୋଜନାକୁ ବିରୋଧ କରି ହିଂସା ଯୋଗୁଁ ରେଳବାଇର ଅଧିକ କ୍ଷତି ହୋଇଛି। ଏଭଳି ପରିସ୍ଥିତିରେ ରେଳବାଇକୁ ରବିବାର ୪୮୩ ଟ୍ରେନ୍ ବାତିଲ କରିବାକୁ ପଡିଥିଲା। ବିହାରରେ ଦିନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ମିଛ ଖବର ପ୍ରସାରଣ ପାଇଁ ୩୫ଟି ହ୍ବାଟସଆପ୍ ଗ୍ରୁପକୁ ସରକାର ନିଷିଦ୍ଧ କରିଛନ୍ତି।

Comments are closed.