ଭାରତରୁ ଆସୁଥିବା ଯାତ୍ରୀ ବିମାନ ଉପରୁ କଟକଣା ହଟାଇଲା କାନାଡା

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କାନାଡା ସରକାର ଭାରତରୁ ଆସୁଥିବା ଯାତ୍ରୀ ବିମାନ ଉପରେ କଟକଣା ହଟାଇ ଦେଇଛନ୍ତି। କୋଭିଡ -୧୯ ପ୍ରୋଟୋକଲ ଅନୁଯାୟୀ କିଛି ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଥିଲା । ତେବେ ଜଷ୍ଟିନ ଟ୍ରୁଡୋଙ୍କ ସରକାର ଏହି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦିନ କାନାଡା ସରକାର ଭାରତରୁ ଆସୁଥିବା ସମସ୍ତ କମର୍ସିଆଲ ଏବଂ ଘରୋଇ ଯାତ୍ରୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ବର୍ତ୍ତମାନ ଏହି ଅବଧି ଶେଷ ହେବା ସହିତ ଭାରତରୁ କାନାଡା ଯାତ୍ରା ସ୍ବାଭାବିକ ହେବ | ଅବଶ୍ୟ ଯାତ୍ରୀଙ୍କୁ କୋଭିଡ -୧୯ ଗାଇଡ ଲାଇନ୍ ପାଳନ କରିବା ବାଧ୍ୟତାମୂଳକ ହେବ । ଯାତ୍ରୀମାନଙ୍କୁ କୋଭିଡ୍ ନେଗେଟିଭ ରିପୋର୍ଟ ମଧ୍ୟ ଦେଖାଇବାକୁ ପଡ଼ିବ |

ଅଧିକାରୀଙ୍କ କହିବାନୁସାରେ, ଏୟାର କାନାଡା ଆସନ୍ତାକାଲିଠାରୁ ଭାରତରୁ ବିମାନ ଉଡ଼ାଣ ଆରମ୍ଭ କରିପାରେ। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ୩୦ ସେପ୍ଟେମ୍ବରରୁ କାନାଡା ମାର୍ଗରେ ଯାତ୍ରା ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ ଯେ ଏକ ମାସ ପୂର୍ବରୁ ଏହି ନିଷେଧାଦେଶ ଲାଗୁ ହେବା ପୂର୍ବରୁ ଉଭୟ ଦେଶର ଏୟାରଲାଇନ୍ସ ଭାରତ ଏବଂ କାନାଡା ସରକାରଙ୍କ ମଧ୍ୟରେ ଏୟାର ବବଲ୍ ଚୁକ୍ତି ଅନୁଯାୟୀ ଚଳାଚଳ କରୁଥିଲେ।

Comments are closed.