ବିଜେପିରେ ଯୋଗ ଦେବେ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ପଞ୍ଜାବ ଲୋକ କଂଗ୍ରେସ’ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କ୍ୟାପଟେନ ଅମରିନ୍ଦର ସିଂ ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ବିଜେପିରେ ଯୋଗଦେବେ । ପିଏଲସି ପ୍ରୀତପାଲ ସିଂ ବଲିଆୱାଲ ଏହି ସୂଚନା ଦେଇଛନ୍ତି । ବଲିଆୱାଲ କହିଛନ୍ତି ଯେ ସେପ୍ଟେମ୍ବର ୧୯ରେ ପଞ୍ଜାବ ଲୋକ କଂଗ୍ରେସର ମଧ୍ୟ ବିଜେପିରେ ବିଲୟ ହେବ।

୮୦ ବର୍ଷୀୟ କ୍ୟାପଟେନ ଅମରିନ୍ଦର ସିଂ ଗତ ବର୍ଷ କଂଗ୍ରେସ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ହଠାତ୍ ଇସ୍ତଫା ଦେବା ପରେ ପିଏଲସି ଗଠନ କରିଥିଲେ। ପିଏଲସି ମୁଖପାତ୍ର ପ୍ରୀତପାଲ ସିଂ ବଲିଆୱାଲ କହିଛନ୍ତି ଯେ ପିଏଲସିରେ ଯୋଗ ଦେଇଥିବା ୭ ଜଣ ପୂର୍ବତନ ବିଧାୟକ ତଥା ଜଣେ ପୂର୍ବତନ ସାଂସଦ ମଧ୍ୟ ସୋମବାର ବିଜେପିରେ ଯୋଗଦେବେ। ସେ କହିଛନ୍ତି, ଆସନ୍ତା ସପ୍ତାହରେ ଚଣ୍ଡିଗଡ଼ର ଏକ ପୃଥକ କାର୍ଯ୍ୟକ୍ରମରେ ପିଏଲସିର ଅନ୍ୟ ଅଧିକାରୀ ତଥା ଜିଲ୍ଲା ସଭାପତି ବିଜେପିରେ ମିଶିବେ ।

ନିକଟରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଲଣ୍ଡନରୁ ଫେରିଥିବା ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ସେପ୍ଟେମ୍ବର ୧୨ରେ ଶାହାଙ୍କ ସହ ସାକ୍ଷାତ ପରେ ଅମରିନ୍ଦର ସିଂ କହିଥିଲେ ଯେ ଜାତୀୟ ସୁରକ୍ଷା, ପଞ୍ଜାବରେ ନିଶା କାରବାର-ଆତଙ୍କବାଦ ମାମଲା ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଭବିଷ୍ୟତର ରୋଡମ୍ୟାପ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସେମାନେ ଅତ୍ୟନ୍ତ ଫଳପ୍ରଦ ଆଲୋଚନା କରିଛନ୍ତି।

ବିଜେପିର ପଞ୍ଜାବ ୟୁନିଟ୍ ନେତା ହରଜିତ୍ ସିଂ ଗ୍ରେୱାଲ ଜୁଲାଇରେ କହିଥିଲେ ଯେ ଅମରିନ୍ଦର ସିଂ ଲଣ୍ଡନ ଯିବା ପୂର୍ବରୁ ତାଙ୍କ ଦଳକୁ ବିଜେପି ସହ ମିଶ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ବିଜେପି ଏବଂ ସୁଖଦେବ ସିଂ ଧିଣ୍ଡସା ନେତୃତ୍ୱରେ ଶିରୋମଣି ଅକାଳୀ ଦଳ (ୟୁନାଇଟେଡ୍) ସହ ମିଳିତ ଭାବେ ବିଧାନସଭା ନିର୍ବାଚନରେ ​​ପିଏଲସି ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଏହାର କୌଣସି ପ୍ରାର୍ଥୀ ଜିତିପାରିନଥିଲେ । ଏପରିକି ନିଜେ ଅମରିନ୍ଦର ସିଂ ମଧ୍ୟ ତାଙ୍କ ଗଡ଼ ପଟିଆଲା ସହରୀ ଆସନରେ ପରାସ୍ତ ହୋଇଥିଲେ।

Comments are closed.