ଛତିଶଗଡ ପରେ ଭୋପାଳ: ଭସାଣି ଶୋଭାଯାତ୍ରାକୁ ମାଡ଼ିଗଲା କାର୍, ତିନି ଆହତ

ଭୋପାଳ: କିଛି ଦିନ ତଳେ ଛତିଶଗଡର ଯଶପୁରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଭିଡ଼ ଭିତରକୁ ଏକ କାର୍ ଦ୍ରୁତ ଗତିରେ ମାଡ଼ିଯିବା ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ସେଠାରେ ଶନିବାର ରାତିରେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରା ସମୟରେ ତିନିଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା କାର ତଳେ ଆସି ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମାମଲା ଭୋପାଳର ବାଜରିଆ ପୋଲିସ ଷ୍ଟେସନ ଅଞ୍ଚଳର। ରାତି ପ୍ରାୟ ୧୧:୧୫ ସମୟରେ ଏହି ଘଟଣା ଘଟିଥିଲା ​​| ଡିଜି ଭୋପାଳ ଇରଶାଦ ୱାଲି କହିଛନ୍ତି ଯେ କାର ଡ୍ରାଇଭରକୁ ଗିରଫ କରାଯାଇଛି ଏବଂ କାର ମଧ୍ୟ ଜବତ କରାଯାଇଛି।

ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ଦଫା ଅଧୀନରେ ମାମଲା ରୁଜୁ କରିଛି। ପୋଲିସ କହିଛି ଯେ ଡ୍ରାଇଭର ମଦ୍ୟପାନ କରି ନଥିଲା ଏବଂ କାରଟି ବାଙ୍ଗାଲୋରରୁ ଇନ୍ଦୋରକୁ ଯାଉଥିଲା। ଭୋପାଳ ରେଳ ଷ୍ଟେସନ ନିକଟରେ ଡ୍ରାଇଭର ଏକ ହୋଟେଲରେ ଭୋଜନ କରିଥିଲା ଏବଂ କାରକୁ ବ୍ୟାକ୍ କଲା ବେଳେ ଭସାଣି ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲା। ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତି ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ।

ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଲୋକମାନେ ଯାଉଛନ୍ତି। ସେମାନେ ରାସ୍ତାରେ ଗୀତ ବଜାଇ ନାଚୁଛନ୍ତି । ଏତିକି ବେଳେ ହଠାତ୍
ଏକ କାର୍ ଦ୍ରୁତ ଗତିରେ ରିଭର୍ସ ଗିୟରରେ ଆସି ଲୋକମାନଙ୍କୁ ଧକ୍କା ଦେଉଛି | କାର୍ ଧକ୍କାରେ ତିନି ଜଣ ଯୁବକ ଆହତ ହୋଇଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments are closed.