ଆୟ ବହିର୍ଭୁତ ସମ୍ପତ୍ତି ମାମଲା: ଏ.ରାଜାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍

ନୂଆଦିଲ୍ଲୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ଡିଏମକେ ନେତା ଏ.ରାଜାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ରାଜା କେନ୍ଦ୍ର ମନ୍ତ୍ରୀ ଥିବାବେଳେ ବେଆଇନ ଭାବେ ୫.୫୩ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି ।

ଚେନ୍ନାଇର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ସିବିଆଇ ଅଭିଯୋଗ କରିଛି ଯେ ରାଜାଙ୍କ ଘନିଷ୍ଠ ସହଯୋଗୀ ସି କୃଷ୍ଣମୂର୍ତ୍ତି ଜାନୁଆରୀ ୨୦୦୭ରେ କୋଭାଇ ସେଲଟର୍ସ ପ୍ରମୋଟର୍ସ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ ଏବଂ ସେହି ବର୍ଷ ଫେବୃଆରୀରେ କାଞ୍ଚିପୁରମରେ ଜମି କିଣିବା ପାଇଁ କମିଶନ ଭାବେ ସେ ଗୁରୁଗ୍ରାମର ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀରୁ ୪.୫୬ କୋଟି ଟଙ୍କା ନେଇଥିଲେ ।

ଅଭିଯୋଗ ହୋଇଛି ଯେ ଜମି ଡିଲ୍ ପାଇଁ ଏହି ଟଙ୍କା ତାଙ୍କୁ ମିଳିନଥିଲା ବରଂ କେନ୍ଦ୍ର ମନ୍ତ୍ରୀ ଭାବେ ରାଜାଙ୍କ କାର୍ଯ୍ୟକାଳ ମଧ୍ୟରେ ଉକ୍ତ ରିଏଲ ଇଷ୍ଟେଟ୍ କମ୍ପାନୀକୁ ଇନଫ୍ରାଷ୍ଟ୍ରକଚର କମ୍ପାନୀର ମାନ୍ୟତା ପ୍ରଦାନ ବଦଳରେ ଲାଞ୍ଚ ଭାବେ ଦିଆଯାଇଥିଲା ।

ସିବିଆଇ ଅଭିଯୋଗ କରିଛି ଯେ ରାଜା ମନ୍ତ୍ରୀ ଥିବା ସମୟରେ ୫.୫୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅର୍ଜନ କରିଥିଲେ, ଯେଉଁଥିରେ ତାଙ୍କ ନିକଟ ସମ୍ପର୍କୀୟମାନେ ନିର୍ଦ୍ଦେଶକ ଥିବା ଉକ୍ତ କମ୍ପାନୀ ତରଫରୁ ମିଳିଥିବା ୪.୫୬ କୋଟି ଟଙ୍କା ଲାଞ୍ଚ ମଧ୍ୟ ରହିଛି |

ସିବିଆଇ ଅଭିଯୋଗ ଅନୁଯାୟୀ ରାଜାଙ୍କ ବେଆଇନ ଭାବେ ଅର୍ଜିତ ସମ୍ପତ୍ତି ତାଙ୍କ ତାଙ୍କ ସରକାରୀ ସମ୍ପତ୍ତି ତୁଳନାରେ ୫୭୯ ପ୍ରତିଶତ ଅଧିକ।

ସିବିଆଇ ୨୦୧୫ରେ ରାଜା, ତାଙ୍କ ଭଣଜା ପରମେଶ, ପତ୍ନୀ ପରମେଶ୍ୱରୀ, ପିଏ କୃଷ୍ଣମୂର୍ତ୍ତି, ସହଯୋଗୀ ସାଦ୍ଦିକ ବାଶାଙ୍କ ସମେତ ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବାଶା ପରେ ଆତ୍ମହତ୍ୟା କରିଥିଲେ।

୨ଜି ସ୍ପେକ୍ଟ୍ରମ୍ ଆବଣ୍ଟନ ମାମଲାରେ ମଧ୍ୟ ସିବିଆଇ ପୂର୍ବତନ ଟେଲିକମ୍ ମନ୍ତ୍ରୀ ରାଜାଙ୍କ ବିରୋଧରେ କେସ୍ ରୁଜୁ କରିଥିଲା। ​​କିନ୍ତୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ପ୍ରମାଣ ଦେଇପାରି ନ ଥିବାରୁ ତାଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

Comments are closed.